୪ ଦିନ ପରେ ପୁଣି ଫେରିବ ଶୀତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ପ୍ରାୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଏବେ ୨୨ ଡିଗ୍ରି ରହିଛି, ଯାହାକି ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ। ରାଜ୍ୟକୁ ବର୍ତ୍ତମାନ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟରେ ଏବେ ପାରଦସ୍ତର ଖସିବାର ସମ୍ଭାବନା ନାହିଁ। ୪ ଦିନ ପରେ ବର୍ଷା କମି‌ଲେ, ଶୀତ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପୂର୍ବା ପବନ ପ୍ରଭାବରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ ୨୨ ତାରିଖ ଦିନ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଏହାସହ ୨୩ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ଅଞ୍ଚଳରେ ବର୍ଷା ହେବ। ୨୪ ତାରିଖ ଦିନ ବିଶେଷ ଭାବେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷିବା ସହ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବି‌ଶେଷ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ବର ଓ କଟକରେ ଆସନ୍ତାକାଲି ପାଗ ମେଘୁଆ ରହିବ। ଏଥିସହ ହାଲୁକା ବର୍ଷାର ବି ସମ୍ଭାବନା ରହିଛି। ଏବେ ରାଜ୍ୟର ପାଗ ମେଘୁଆ ରହିବ। ଫଳରେ ଶୀତ ବଢ଼ିବାର ସମ୍ଭାବନା ନାହିଁ। କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇପାରେ। ୪ ଦିନ ପରେ ଧୀରେଧୀରେ ରାଜ୍ୟର ପାରଦ ଖସିବ ଓ ଶୀତ ଆରମ୍ଭ ହେବ ବୋଲି କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର