ପିଏଲଜିଏ ପ୍ରତିବନ୍ଧ ହଟାଇଲେ ଆଲୋଚନା ହେବ: ମାଓବାଦୀ

ମାଲକାନଗିରି: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସାମ୍ବାଦିକମାନଙ୍କୁ ସମ୍ବୋଧନ କରୁଥିବା ସମୟରେ ମାଓବାଦୀମାନେ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଥିଲେ। ସେମାନେ ଯେତେବେଳେ ବି ଆଲୋନଚା ପାଇଁ ଆସିପାରିବେ ବୋଲି ଆହ୍ବାନ କରିଥିଲେ। ଏହି ଆହ୍ବାନକୁ ମାଓ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତିରେ କିଛି ସର୍ତ୍ତ ରଖି ପ୍ରକାଶ କରିଛନ୍ତି ଯେ ରାଜ୍ୟରେ ପିଏଲଜିଏ ଉପରେ ରହିଥିବା ସମସ୍ତ ପ୍ରତିବନ୍ଧକୁ ହଟାଯାଉ, ନକ୍ସଲମାନଙ୍କୁ ସ୍ବାଧୀନ ଭାବେ କାମ କରିବାକୁ ଦିଆଯାଉ, ଆକାଶ ମାର୍ଗରୁ ବୋମା ବର୍ଷଣ ବନ୍ଦ କରାଯାଉ, ଯେଉଁ ଅଂଚଳରେ ମାଓବାଦୀ ସଂଘର୍ଷ କରୁଛନ୍ତି ସେହି ଅଂଚଳରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପକୁ ହଟାଇ ଦିଆଯାଉ, ଜେଲରେ ଭର୍ତ୍ତି ହୋଇଥିବା ମାଓବାଦୀମାନଙ୍କୁ ତୁରନ୍ତ ମୁକ୍ତି ଦିଆଯାଉ। ଏସବୁ ସର୍ତ୍ତ ପୂରଣ ହେଲେ ମାଓ ସଂଗଠନ ନିଶ୍ଚିତ ଭାବେ ଆଲୋଚନାକୁ ଆସିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଲୋକମାନଙ୍କୁ ସମ୍ବିଧାନିକ ଅଧିକାର ଦିଆଯାଉ ବୋଲି ଦାବି କରିଥିଲେ। ପେସା କାନୁନକୁ ଲାଗୁ କରାଯାଉ। ଗ୍ରାମାଞ୍ଚଳରେ କ୍ୟାମ୍ପଗୁଡିକ ପ୍ରତିଷ୍ଠା କରାଯାଉଛି।ରାସ୍ତା, ବ୍ରିଜଗୁଡିକ ବେଧଡକ ନିର୍ମାଣ କରାଯାଉଛି। ଦିନରାତି ଗ୍ରାମବାସୀଙ୍କ ମୁଣ୍ଡ ଉପରେ ହେଲିକେପ୍ଟର ଉଡୁଥିବା ଦେଖିବାକୁ ମିଳୁଛି ବୋଲି ମାଓବାଦୀ କହିଛନ୍ତି। ଆମେ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା ମାଓବାଦୀ କହିଛନ୍ତି। କିନ୍ତୁ ସେଥିପାଇଁ ଏକ ସୁସ୍ଥ ବାତାବରଣ ପ୍ରଥମେ ସୃଷ୍ଟି କରାଯାଉ। ଏଥିସହ ମାଓବାଦୀଙ୍କ ଉପରେ ଲଗାଯାଇଥିବା ସମସ୍ତ ପ୍ରତିବନ୍ଧକୁ ହଟାଯାଉ। ସମ୍ବିଧାନକୁ ପାଳନ କରାଯାଉ। ତେବେ ଯାଇ ଆମେ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ସ୍ବୀକାର କରିବୁ ବୋଲି କହିଛନ୍ତି। ତେବେ ସରକାର ଏନେଇ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର