ଶିଳ୍ପୋଦ୍ୟୋଗୀଙ୍କଠାରୁ ପ୍ରତ୍ୟାହାର ହେଉ ଡି.ଲିଟ୍‌, ବିଶ୍ବବିଦ୍ୟାଳୟ ସାମଗ୍ରୀ କ୍ରୟ ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀ ସୁଭାଷ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡି.ଲିଟ୍ ପ୍ରଦାନ ମାମଲାରେ ଆଜି ପୁଣି ସହରର ବୁଦ୍ଧିଜୀବୀମାନେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି କୁଳପତିଙ୍କ ଉପରେ ବର୍ଷିଛନ୍ତି। ବିଶ୍ବବିଦ୍ୟାଳୟରେ ସାମଗ୍ରୀ କ୍ରୟରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣିଛନ୍ତି। ଡି.ଲିଟ୍‌ ଉପାଧି ପ୍ରତ୍ୟାହାର, ଏହି ମାମଲା ଓ ଦୁର୍ନୀତିର ନିରପେକ୍ଷ ତଦନ୍ତ ଓ କୁଳପତିଙ୍କ ହଟାଇବା ପାଇଁ ଆଜି ଦାବି କରିଛନ୍ତି।

ସମ୍ବଲପୁର ନାଗରିକ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଭବନୀଶଙ୍କର ହୋତା କହିଲେ, ପ୍ରଫେସର ସଂଜୀବ ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟର ଦାୟିତ୍ବ ନେବାଦିନଠାରୁ ଏକ ଅଶାନ୍ତ ବାତାବରଣ ଲାଗି ରହିଛି। ଗତ ୧୨ ଏପ୍ରିଲ ୨୦୨୧ରେ ରାଜ୍ୟର ଦୁଇ ଜଣ ବରିଷ୍ଠ ଅଧିକାରୀ ଅର୍ଥାତ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବ ଓ ବିତ୍ତ ନିୟନ୍ତ୍ରକ କୁଳପତି ପ୍ରଫେସର ମିତ୍ତଲଙ୍କ ମନମୁଖି କାର୍ଯ୍ୟ, ଅଶାଳୀନ ଭାଷା ପ୍ରୟୋଗ, ଧମକ-ଚମକ, ଆଇନ ବହିର୍ଭୂତ କାର୍ଯ୍ୟର ଉଦାହରଣ ଦେଇ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଏକ ପତ୍ର ଲେଖିଥିଲେ।

ଏହି କୁଳପତିଙ୍କ ଅଧୀନରେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କୁ ବିଶ୍ବବିଦ୍ୟାଳୟରୁ ପ୍ରତ୍ୟାହାର କରି ନିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ। ସେହି ସମୟରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଯଦି, ଏହି ଅଭିଯୋଗକୁ ଗୁରୁତର ସହିତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ, ତାହେଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ଶ୍ରୀ ହୋତା କହିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ଉଦ୍‌ଘାଟିତ ହର୍ବଲ ଗାର୍ଡେନ ଓ ଆଖପାଖରେ ଥିବା ଗଛଗୁଡ଼ିକୁ କାଟି ଦିଆଗଲା। କୁଳପତିଙ୍କ ଅପମାନ ସହ୍ୟ କରି ନପାରି ଜଣେ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମଦାହ କରିଥିଲେ। ଏବେ ପ୍ରଫେସର ମିତ୍ତଲ ହାଇକୋର୍ଟରୁ ଜାମିନପ୍ରାପ୍ତ ଜଣେ ଅଭିଯୁକ୍ତ। ବିଶ୍ବବିଦ୍ୟାଳୟ ଆଇନକୁ ଭ୍ରୂକ୍ଷେପ ନକରି ପ୍ରଫେସର ମିତ୍ତଲ ନିଜର ଉଦ୍ୟମରେ ଜଣେ ଅନାମଧେୟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ସଦ୍ୟ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯାଇଛି। କେବେ ଏନେଇ ସିଣ୍ଡିକେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା, କିଏ ପ୍ରଥମେ ଏହି ପ୍ରସ୍ତାବ ଆଗତ କରିଥିଲେ ନେଇ କୌଣସି ସୂଚନା ଦିଆଯାଉ ନାହିଁ।

ଗତ ୩ ତାରିଖ ଦିନ ଏହି ପ୍ରସଂଗକୁ ନେଇ ବୁଦ୍ଧିଜୀବୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସୁଭାଷ ଚନ୍ଦ୍ର ଗୁପ୍ତାଙ୍କଠାରୁ ଡି.ଲିଟ୍ ଉପାଧି ପ୍ରତ୍ୟାହାର ଓ ଦ‌ୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଥିଲା। ପ୍ରଫେସର ମିତ୍ତଲଙ୍କ ଯୋଗଦାନ ପରଠାରୁ  ଗତ ଏକ ବର୍ଷରୁ ଅଧିକ  ସମୟ ଧରି ବିଶ୍ବବିଦ୍ୟାଳୟରେ ଚାଲିଥିବା ଆଇନ ଭଂଗ, ବେଆଇନ କାର୍ଯ୍ୟ ଓ ଆର୍ଥିକ ଅନିୟମିତତା ଉପରେ ଏକ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କି ସବୁ ଅଭିଯୋଗର ତଦନ୍ତ କରାଯାଉ। କୁଳପତି ପ୍ରଫେସର ମିତ୍ତଲଙ୍କୁ ତାଙ୍କ ପଦରୁ ନହଟାଇବା ପର୍ଯ୍ୟନ୍ତ କୌଣସି ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି ଶ୍ରୀ ହୋତା କହିଛନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପାଢ଼ୀ କହିଲେ, ସମ୍ବଲପୁର ବିଦ୍ୟାଳୟରେ ଏକ ବ୍ୟାପକ ଦୁର୍ନୀତି ଚାଲିଛି। ଜେମ୍‌(ଜିଏଇଏମ୍‌) ଜରିଆରେ ଡିସ୍‌ପ୍ଲେବୋର୍ଡ କିଣାରେ ନିର୍ଧାରିତ ପ୍ରକ୍ରିୟା ଅବଳମ୍ବନ କରାଯାଇ ନାହିଁ।  ବହି, ଅତ୍ୟାଧୁନିକ କମ୍ପ୍ୟୁଟର କ୍ରୟରେ ବି ବ୍ୟାପକ ଅନିୟମିତତା ଚାଲିଛି। ବହୁ ନୀତି ନିୟମକୁ ଅଣଦେଖା କରାଯାଉଛି। ସ୍ବଚ୍ଛତା, ନିଷ୍ଠା, ନୀତି ନୈତିକତା ଆଦି କିଛି ନାହିଁ ବୋଲି ପ୍ରଫେସର ପାଢ଼ୀ ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ, ଏସବୁ ଦୁର୍ନୀତିକୁ ଲୁଚାଇବା ପାଇଁ ବି ଚେଷ୍ଟା କରାଯାଇଛି। ଲ’ କଲେଜରେ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଅତିଥି ଅଧ୍ୟାପକ ନିଯୁକ୍ତି, ତାଙ୍କୁ ପୁଣି ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ ପଛରେ ଏକ ବଡ଼ ଗୁମର ରହିଛି ବୋଲି ପ୍ରଫେସର ପାଢ଼ୀ କହିଛନ୍ତି।

ସମ୍ବଲପୁର ବିଶିବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ତଥା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ କୁଳପତିଙ୍କର ନୀତି, ନିୟମ କାହାରିକୁ ଖାତିର ନାହିଁ। ବିଶ୍ବବିଦ୍ୟାଳୟ ଧ୍ବଂସ ହୋଇଯିବାକୁ ବସିଛି। ତାକୁ ଉଦ୍ଧାର କରିବା ପାଇଁ ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି। ପୂର୍ବତନ ସିଣ୍ଡ‌ିକେଟ ସଦସ୍ୟ ଦୁର୍ଗା ପାଢ଼ୀ କହିଲେ, ବିଶ୍ବବିଦ୍ୟାଳୟ ଏକ ଷ୍ଟେଚ୍ୟୁଟ୍ ଅନୁସାରେ ଚାଲିଥାଏ। ବର୍ତ୍ତମାନ ସମୟରେ ତାହାର ଅନୁପାଳନ ହେଉନାହିଁ। ଏଥର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜନ ଆଦୌ ନିୟମ ଅନୁଯାୟୀ ହୋଇନାହିଁ। ଏଥିରେ ଅନେକ ବ୍ୟତିକ୍ରମ ହୋଇଛି। ସମ୍ମାନସୂଚକ ଡି.ଲିଟ୍ ପ୍ରଦାନ କ୍ଷେତ୍ରରେ ଅପରାଧିକ ଅବହେଳା କରାଯାଇଛି ବୋଲି ସେ କହିଥିଲେ। ନାଗରିକ କଲ୍ୟାଣ ସମିତିର ଉପସଭାପତି ମ‌ହେଶ ସାଏତା, ଓଡ଼ିଶା ସାଂସ୍କୃତିକ ସମାଜର ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ମଂଚାସୀନ ରହି ଶ୍ରୀ ଗୁପ୍ତାଙ୍କୁ ଦିଆଯାଇଥିବା ଡି.ଲିଟ୍‌ ଉପାଧି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରଥିଲେ।

ସମ୍ବନ୍ଧିତ ଖବର