ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପରେ ଅଦାଲତ ଅବମାନନା ମାମଲାରେ ପୂର୍ଣ୍ଣଚ୍ଛେଦ

ଆଇନ ଓ ଅର୍ଥ ସଚିବଙ୍କ ଦରମା ବନ୍ଦ ଆଦେଶ ପ୍ରତ୍ୟାହାର

କଟକ: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇଥିବା ପରିପ୍ରେକ୍ଷୀରେ ଆଇନ ସଚିବ ଓ ଅର୍ଥ ସଚିବଙ୍କ ଡିସେମ୍ବର ମାସର ଦରମା ବନ୍ଦ ରଖାଯିବା ନେଇ ଡିସେମ୍ବର ୧୧ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇଛି। ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି। ଆବେଦନକାରୀଙ୍କ ପ୍ରାପ୍ୟ ଗଣନାରେ କେତେକ ତ୍ରୁଟି ଥିବା ବେଳେ ଏଥିରେ ସଂଶୋଧନ ପରେ ତାଙ୍କୁ ଅର୍ଥ ପ୍ରଦାନ କରାଯିବ। ଫଳରେ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମିଠୁରାମ ଭୋଇଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଡିସେମ୍ବର ୧୨ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଏହି ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ ୨୦୧୯ ଡିସେମ୍ବର ୧୨ର ନିର୍ଦ୍ଦେଶ ପାଳନ କରା ନ ଯାଏ ତେବେ ଆଇନ ସଚିବ ଓ ଅର୍ଥ ସଚିବଙ୍କ ଡିସେମ୍ବର ମାସର ଦରମା ଅଟକ ରଖାଯିବ ବୋଲି ହାଇକୋର୍ଟ ୨୦୨୦, ଡିସେମ୍ବର ୧୧ରେ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ ଆବେଦନକାରୀ ବୁର୍ଲାସ୍ଥିତ ମୁଖ୍ୟ ଡ୍ୟାମ୍ ଡିଭିଜନରେ ଷ୍ଟୋର ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରି ୧୯୯୮ରେ ଅବସର ଗ୍ରହଣ କରିଥ‌ିଲେ। ସେ ୱାର୍କଚାର୍ଜ କର୍ମଚାରୀ ହୋଇଥିବାରୁ ତାଙ୍କ ଚାକରି ନିୟମିତ କରାଯାଇ ନଥିଲା ଓ ପେନସନ୍ ମଧ୍ୟ ମିଳି ନଥିଲା। ଚାକିରି ନିୟମିତ ଓ ପେନସନ୍ ପ୍ରସଂଗ ନେଇ ସେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲରେ ମାମଲା ରୁଜୁ କରିଥିଲେ। ୨୦୧୫ ସେପ୍ଟେମ୍ବର ୮ରେ ସ୍ୟାଟ୍ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଡିସେମ୍ବର ୧୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ୨୦୨୦ ଫେବ୍ରୁଆରି ୧ ତାରିଖରୁ ଆବେଦନକାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ୮୨ ବର୍ଷରୁ ଅଧିକ ବୟସ୍କ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାରେ ୨୦୨୦ ଡିସେମ୍ବର ୭ରେ ଜଳସଂପଦ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆବେଦନକାରୀଙ୍କ ପ୍ରସଂଗରେ ସରକାରଙ୍କ ଅନୁମୋଦନ ଆଣିବା ପୂର୍ବରୁ ଆଇନ/ଅର୍ଥ ବିଭାଗର ସମ୍ମତି ଆବଶ୍ୟକ। ଏଭଳି ସ୍ଥିତିରେ ଅଧିକ ସମୟ ଲୋଡ଼ା ବୋଲି ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ମାମଲା ପରିଚାଳନା କରୁଥିବାବେଳେ ଅମିତ କୁମାର ସାହୁ ଓ ଅତୁଲ ତ୍ରିପାଠୀ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର