ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବ ନାହିଁ ଟ୍ରେନ୍‌

ବ୍ରହ୍ମପୁର: କରୋନା ସଂକ୍ରମଣ ଜନିତ ସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ରେଳ ଷ୍ଟପେଜରେ ଯ‌ାତ୍ରୀବାହୀ ଟ୍ରେନ୍‌ର ରହଣିକୁ ତୁରନ୍ତ ରଦ୍ଦ କରିବାକୁ କୁହାଯାଇଛି । ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏକ ଚିଠି ଜରିଆରେ ପୂର୍ବ ତଟ ରେଳପଥର ସାଧାରଣ ପରିଚାଳକଙ୍କୁ ଏ ନେଇ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିୟମକୁ ତୁରନ୍ତ ଲାଗୁ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ଚିଠିରେ ଲେଖାଯାଇଛି ଯେ, ଗଞ୍ଜାମରେ କରୋନା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା‌ରେ ଥିବା କୌଣସି ରେଳ ଷ୍ଟେସନରେ ଟ୍ରେନ ଅଟକିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ତୁରନ୍ତ ବିଭାଗୀୟ ଏବଂ ଷ୍ଟେସନ୍ ୟୁନିଟକୁ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ଷ୍ଟପେଜରେ ରେଳ ରହଣିକୁ ରଦ୍ଦ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଛି । ଏହି ନିୟମକୁ ତୁରନ୍ତ ଲାଗୁ କରିବା ସହ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର