ପାଟଣାଗଡ଼ରେ ଚାଞ୍ଚଲ୍ୟ : ଜିରୋ ଆକାଉଣ୍ଟରୁ ଉଠିଲା ଲକ୍ଷାଧିକ ଟଙ୍କା, ଉଠାଣ ପରେ ବି ଖାତାରୁ କଟୁନି ଟଙ୍କା

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ତେଣ୍ଡାପଦର ପଞ୍ଚାୟତ ସିଆଲବନ୍ଧ ଗ୍ରାମରେ ଥିବା କିଓସ୍କ ବ୍ୟାଙ୍କ ଶାଖାରୁ ଜିରୋ ଆକାଉଣ୍ଟଗୁଡ଼ିକରୁ ଲକ୍ଷାଧିକ ଟଙ୍କା ଉଠାଯାଇଥିବା ଜଣାପଡ଼ିଛି। ଏତେ ଟଙ୍କା ଉଠା ଯାଇଥିଲେ ମଧ୍ୟ ଜମାଖାତାରୁ ଟଙ୍କା କଟି ନାହିଁ। ଏହା କିପରି ହେଲା କେହି କିଛି କହି ପାରୁନାହାନ୍ତି। ଏହା ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କିଛି ତାହା ବର୍ତ୍ତମାନ ରହସ୍ୟ ଘେରରେ ରହିଛି।

ପ୍ରକାଶ ଯେ, ତେଣ୍ଡାପଦର ପଞ୍ଚାୟତ ସିଆଲବନ୍ଧ ଗ୍ରାମରେ ୫ ‌ଗୋଟି କିଓସ୍କ ବ୍ୟାଙ୍କ ଶାଖା ରହିଛି। ଭୋଳାସାଗର ମେହେର ନାମକ ଜଣେ ଗ୍ରାହକଙ୍କ ଜମାଖାତାରେ ୨୫ ଶହ ଟଙ୍କା ରହିଥିଲା। ଶୁକ୍ରବାର ସନ୍ଧ୍ୟାରେ ସେ କିଓସ୍କ ବ୍ୟାଙ୍କ ଶାଖାରୁ ୨ ହଜାର ଟଙ୍କା ଉଠାଇଥିଲେ। ଏହା ପରେ ମଧ୍ୟ ତାଙ୍କ ଜମାଖାତାରେ ୨୫୦୦ ଟଙ୍କା ରହିଥିଲା। ଏହି ଖବର ପ୍ରଚାରିତ ହେବା ପରେ କିଓସ୍କ ବ୍ୟାଙ୍କରେ ଖାତା ଖୋଲିଥିବା ଗ୍ରାହକମାନେ କିଓସ୍କ ବ୍ୟାଙ୍କ ଶାଖାଗୁଡ଼ିକୁ ଯାଇ ନିଜ ନିଜ ଖାତାରୁ ଟଙ୍କା ଉଠାଇଥିଲେ ମଧ୍ୟ କାହାରି ଆକାଉଣ୍ଟରୁ ଟଙ୍କା କଟି ନ ଥିଲା। ଭାରତ ଫାଇନାନ୍ସ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର କିଓସ୍କ ଶାଖା ଖୋଲିଥିବା ରାଜେନ୍ଦ୍ର ମେହେରଙ୍କ କହିବା ଅନୁଯାୟୀ, କିଛି ଗ୍ରାହକ ସନ୍ଧ୍ୟା ୭ଟାରେ ଆସି ତାଙ୍କ ଖାତାରେ କାଳିଆ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ପଡ଼ିଛି ବୋଲି କହିଥିଲେ। ସେ ହିସାବରେ ଜମାଖାତାରୁ ଟଙ୍କା ଉଠାଇଥିଲେ। ୨୦ ଜଣଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା ‌ଲେଖାଏଁ ହିସାବରେ ୨ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ସବୁ ଟଙ୍କା ଶୁକ୍ରବାର ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଉଠାଯାଇଥିଲା। ସେହିପରି ଗାଁରେ ଥିବା ଅନ୍ୟ କିଛି କିଓସ୍କ ଶାଖାରୁ ମଧ୍ୟ ଲୋକେ ବହୁ ପରିମାଣର ଟଙ୍କା ଉଠାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଜିରୋ ଆକାଉଣ୍ଟରୁ ଟଙ୍କା ଉଠାଇଲା ପରେ ମଧ୍ୟ କିପରି ଭାବେ ଆକାଉଣ୍ଟକୁ ଟଙ୍କା ଆସୁଥିଲା କାହାରି ପାଖରେ ଉତ୍ତର ନାହିଁ। ଟଙ୍କା ସବୁ ଉଠାଇଥିବା ‌ବେଳେ ଗ୍ରାହକମାନଙ୍କୁ ଦିଆଯାଇଛି କି ବୋଲି ପଚାରିବାରୁ କିଓ‌ସ୍କ ଶାଖା ପକ୍ଷରୁ କୁହାଯାଇଛି ଯେ; ଟଙ୍କା ଉଠିଛି କିନ୍ତୁ, ଗ୍ରାହକମାନଙ୍କୁ ପଇଠ କରାଯାଇ ନାହିଁ । ଆଜି ଦ୍ବିତୀୟ ଶନିବାର ଛୁଟି ଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ସୋମବାର ବ୍ୟାଙ୍କ ଖୋଲିଲେ ଅସଲ କଥା ଜଣାପଡ଼ିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର