ଟିକେଟ୍‌ ପାଇଁ ଝାଳନାଳ, ୮ ଘଣ୍ଟାରେ ସବୁ ଶେଷ

କଟକ: ମାତ୍ର ୮ ଘଣ୍ଟାରେ ଅଫଲାଇନ୍ କାଉଣ୍ଟରରେ ବିକ୍ରି ହୋଇଗଲା ୧୨ ହଜାର ଟିକେଟ୍। ବାରବାଟୀ ମ୍ୟାଚ ପାଇଁ ୯ ଓ ୧୦ ତାରିଖରେ ଟିକେଟ୍ ବିକ୍ରି ହେବାକୁ ତାରିଖ ଯଦିଓ ଧାର୍ଯ୍ୟ ହୋଇଥିଲା, ଆଜି ଗୋଟିଏ ଦିନରେ ଟିକଟ୍ ପୋଛି ନେଇଥିଲେ କ୍ରିକେଟ୍ ପ୍ରେମୀ। ସକାଳ ୯ଟାରୁ ବାରବାଟୀ ଷ୍ଟାଡିୟମ ବାହାରେ ୯ଟି ଅଫଲାଇନ୍ ଟିକଟ୍ କାଉଣ୍ଟର ଖୋଲିଥିଲା। ୭ଟି ପୁରୁଷ ଓ ୨ଟି ମହିଳାଙ୍କ ପାଇଁ କାଉଣ୍ଟର୍ ଖୋଲିଥିଲା। ସକାଳ ୯ଟାରୁ ଖୋଲିଥିବା କାଉଣ୍ଟର ଅପରାହ୍ନ ପ୍ରାୟ ୫ଟା ଯାଏ ଚାଲିଥିଲା। ଗ୍ୟାଲେରି ନଂ ୧, ୩, ୫ ଟିକେଟ୍ ଦିନ ପ୍ରାୟ ୧୨ଟା ସୁଦ୍ଧା ଶେଷ ହୋଇଯାଇଥିଲା। ଅବଶିଷ୍ଟ ଟିକେଟ୍ ଅପରାହ୍ନ ୫ଟା ସୁଦ୍ଧା ଶେଷ ହୋଇଯାଇଥିଲା। ମୋଟ ଅଫ୍‌ଲାଇନରେ ବିକ୍ରି ହୋଇଥିବା ଟିକେଟରୁ ୧୩୬୨ଟି ଟିକେଟ୍ ଦାମୀ ଗ୍ୟାଲେରିର ହୋଇଥିବା ବେଳେ ସାଧାରଣ ଗ୍ୟାଲେରି ଟିକେଟ ସଂଖ୍ୟା ୧୦ ହଜାର ୭୩୧।

ଅନ୍‌ଲାଇନ୍‌ ଟିକେଟ୍‌ କାଟି ବି ମାଡ଼ ଖାଇଲେ

ଅନ୍‌ଲାଇନ‌ରେ ୫ ହଜାର ଟିକେଟ୍‌ ବିକ୍ରି ହୋଇଛି ବୋଲି ଓସିଏ ସୂଚନା ଦେଇଛି। କିନ୍ତୁ ବ୍ୟବସ୍ଥା ଅନୁଯାୟୀ ସେମାନେ ବିଭିନ୍ନ ସମୟରେ ଆସି ଷ୍ଟାଡିୟମ କାଉଣ୍ଟରରୁ ଟିକେଟ୍ ନେବାକୁ ପଡ଼ିବ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲେ ବି ଆଜି ଅନଲାଇନ୍ ଟିକେଟ କାଟି ନିଜର ଟିକେଟ୍ ପାଇଁ ଷ୍ଟାଡିୟମକୁ ଆସିଥିବା ଅନେକ ଲୋକ ପୁଲିସ ଠାରୁ ମାଡ଼ ଖାଇ ଘରକୁ ଫେରିଛନ୍ତି। କେମ୍ବ୍ରିଜ ସ୍କୁଲରେ ହୋଇଥିବା କାଉଣ୍ଟରରେ ଅନଲାଇନ୍ ଟିକେଟଧାରୀମାନେ ନିଜ ନିଜର ଟିକେଟ ରିଡେମ୍ପସନ କରାଇଥିଲେ। ଏହି କାଉଣ୍ଟରରେ ମଧ୍ୟ ଲମ୍ବା ଧାଡ଼ି ଲାଗି ରହିଥିଲା। ଅନେକ ଅନଲାଇନ ଟିକେଟଧାରୀଙ୍କ ଟିକେଟ ଯାଞ୍ଚ ହୋଇ ପାରିନଥିଲା। କାଉଣ୍ଟର ବନ୍ଦ କରି ଦିଆଯିବା ସହିତ ସେମାନଙ୍କୁ ଆସନ୍ତାକାଲି ଆସିବାକୁ କୁହାଯାଇଥିଲା। ଏହାର ପ୍ରତିବାଦରେ ଅନଲାଇନ୍ ଟିକେଟଧାରୀମାନେ ଧାରଣାରେ ବସିଥିଲେ। ପୁଲିସ କିନ୍ତୁ ସେମାନଙ୍କୁ ଲାଠି ଧରି ତଡ଼ି ଦେଇଥିବା ବେଳେ ଏଭଳି ଅନଲାଇନ୍‌ ବ୍ୟବସ୍ଥାର ଅର୍ଥ କ’ଣ ବୋଲି ଏବେ ପ୍ରଶ୍ନ ଉଠୁଛି।

ମଜୁରି ନେଇ ଧାଡ଼ିରେ ରହିଲେ ମହିଳା

ମ୍ୟାଚ୍ କାହା କାହା ଭିତରେ ଅନୁଷ୍ଠିତ ହେଉଛି? କେବେ ଓ କେଉଁ ଦିନ ଖେଳାଯିବ ମ୍ୟାଚ? ମ୍ୟାଚ୍ ‌କେଉଁଠି ଆୟୋଜନ ହେବ? ମ୍ୟାଚ ସଂପର୍କିତ କୌଣସି ସୂଚନା ନ ଥିବା ଅର୍ଥାତ କ୍ରିଟେକଟର କ’ ଅକ୍ଷର ଜାଣି ନଥିବା ଶହ ଶହ ମହିଳା, ଯୁବତୀ, ଶ୍ରମଜୀବୀ ଆଜି ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍‌ ସଂଗ୍ରହ କରିବାକୁ ଲମ୍ବାଧାଡ଼ିରେ ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେମାନେ ମାଲିକଙ୍କ ପାଇଁ ମଜୁରି ନେଇ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ‌ହୋଇ ଦୁଇଟି ଲେଖାଏ ଟିକେଟ ସଂଗ୍ରହ କରିଥିଲେ। ସେମ‌ାନେ କାହା ପାଇଁ ଟିକେଟ୍ ନେଉଥିଲେ, ତାହା ଆଜି ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଧାଡ଼ିରେ ଠିଆ ହୋଇଥିବା ମହିଳାଙ୍କୁ ପଚାରିବାରୁ ସେମାନଙ୍କ ଭିତରୁ ଜଣେ ଭାରତ ପାକିସ୍ତାନ ମ୍ୟାଚ୍ ହେଉଛି ବୋଲି କହିବା ଘଟଣା ଯେତିକି ରୋଚକ ଥିଲା କିଛି ମହିଳା ନିଜ ପିଲାକୁ କାଖରେ ଧରି ଘଣ୍ଟା ଘଣ୍ଟା ଧାଡ଼ିରେ ରହିବା ଘଟଣା ତା’ଠୁ ଉଦ୍‌ବେଗଜନକ ଥିଲା। ଏଥର ପ୍ରଥମ ଥର ପାଇଁ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଥିବାରୁ ଅନେକ ମହିଳା ମଜୁରି ନେଇ ଧାଡ଼ି ବାନ୍ଧିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଧସ୍ତାଧସ୍ତି ହେଲେ ମହିଳା, ନିୟନ୍ତ୍ରଣ କଲେ ପୁରୁଷ ପୁଲିସ!

ବାରବାଟୀ ମ୍ୟାଚ ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଏଭଳି ହୋଇଛି ଯେ ଆଜି ୩ ନଂ କାଉଣ୍ଟରରେ ଦୁଇ ମହିଳା ପରସ୍ପର ଭିତରେ ହାତାହାତି ହେଉଥିବା ବେଳେ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁରୁଷ ପୁଲିସ ପହଞ୍ଚି ଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ କମିସନରେଟ୍ ପୁଲିସର ଏଭଳି ଅବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କମିସନରେଟ୍ ପୁଲିସ ପକ୍ଷରୁ ନିଜସ୍ବ ୧୦ ପ୍ଲାଟୁନ୍ ଫୋର୍ସ ଓ ଓଡ଼ିଶା ପୁଲିସ ଆଜି ଅଫଲାଇନରେ ଟିକେଟ୍ ବିକ୍ରି ପାଇଁ ୧୦ ପ୍ଲାଟୁନ୍ ଫୋର୍ସ ଯୋଗାଇ ଥିଲା। ୩ ନମ୍ବର କାଉଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। କିନ୍ତୁ ମହିଳା ପୁଲିସ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିଲା। କେବଳ କାଉଣ୍ଟର ନିକଟରେ ମହିଳା ପୁଲିସଙ୍କୁ ନିୟୋଜିତ କରାଯାଇଥିଲା।

ତେନ୍ଦୁଲକର ଇନ୍‌ଡୋର ଷ୍ଟାଡିୟମ୍ ଯାଏ ଧାଡ଼ି ଲମ୍ବିଥିଲା। କିନ୍ତୁ ମହିଳା ପୁଲିସଙ୍କୁ ନିୟୋଜିତ କରାଯାଇନଥିଲା। ଯାହା ଫଳରେ ଆଜି ୨ ନମ୍ବର ଗେଟ୍ ସାମନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ମହିଳାମାନେ ଠେଲାପେଲା ହୋଇଥିଲେ। ଦୁଇ ଜଣ ଏଭଳି ମୁହାମୁହିଁ ହୋଇଥିଲେ ଯେ ଜଣେ ମହିଳାଙ୍କ ଡ୍ରେସ୍ ଚିରି ଯାଇଥିଲା। ପାଖାପାଖି ୨୦ରୁ ଉର୍ଦ୍ଧ୍ବ ମହିଳା ରୁଣ୍ଡ ହୋଇ ଠେଲାପେଲା ହୋଇଥିଲେ। କିନ୍ତୁ ସେଠାରେ ମହିଳା ପୁଲିସ ପର୍ଯ୍ୟାପ୍ତ ନଥିବାରୁ ପୁରୁଷ ପୁଲିସ ମହିଳାଙ୍କ ହାତ ଧରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ସମ୍ବନ୍ଧିତ ଖବର