ପରୀକ୍ଷା କେଳେଙ୍କାରୀ: ବିନା ଫର୍ମ ପୂରଣରେ ଆଡମିଟ୍ କାର୍ଡ!
ଶିକ୍ଷାମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ ମୁହଁ ଖୋଲିଲେ ପ୍ରଧାନ ଶିକ୍ଷକ
ରାୟଗଡ଼ା: ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ତଲବ କରିବା ପରେ ବିଭାଗୀୟ ଗୁମର ପଦାରେ ପଡିଛି। ଛାତ୍ରୀଙ୍କ ଫର୍ମ ଫିଲଅପ୍ ବିନା ବୋର୍ଡ ଆଡମିଟ୍ କାର୍ଡ ପଠାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି) ହାଇସ୍କୁଲର ଛାତ୍ରୀ ମମତା ପାତ୍ରଙ୍କ ଗତ ବର୍ଷକ ତଳୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାଁରେ ଆଡମିଟ୍ କାର୍ଡ ଆସିବା ସଭିଁଙ୍କୁ ଚକିତ କରିଛି।
ଜିସିଡି ହାଇସ୍କୁଲ୍ ପ୍ରଧାନଶିକ୍ଷକ ଶଶୀଭୂଷଣ ପଟ୍ଟନାୟକଙ୍କ କହିବାନୁଯାୟୀ, ପୂର୍ବରୁ ପରୀକ୍ଷାର୍ଥୀ ସ୍କୁଲରେ ଉପସ୍ଥିତ ଫର୍ମ ପୂରଣ କରିବା ସହ ଫି’ ଦାଖଲ କରୁଥିଲେ। ଏଥି ପାଇଁ ସ୍କୁଲରେ ଉପସ୍ଥାପନ ମଧ୍ୟ ଦେଖାଯାଉଥିଲା। ହେଲେ କରୋନା ଯୋଗୁ ଚଳିତ ବର୍ଷ ସମସ୍ତଙ୍କର ଫର୍ମ ପୂରଣ ହୋଇଥିଲା। ତେବେ ଚଳିତ ବର୍ଷ ୧୫୩ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ବୋର୍ଡ ପକ୍ଷରୁ ଆସିଥିଲା ୧୫୪ ଆଡମିଟ୍ କାର୍ଡ। ହାଇସ୍କୁଲର ଛାତ୍ରୀ ଶିବାନୀ ପାତ୍ର ଦଶମ ଶ୍ରେଣୀ ସେମେଟିଭ-୧ ପରୀକ୍ଷା ଦେବା ପରେ ୨୦୨୧ ଡିସେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ। ଛାତ୍ରୀଙ୍କ ମୃତ୍ୟୁ ସୂଚନା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଫର୍ମ ପୂରଣ କରିନଥିଲେ। କିନ୍ତୁ ବୋର୍ଡ କାର୍ଯ୍ୟାଳୟରୁ ଦଶମ ପରୀକ୍ଷା ପାଇଁ ମୃତ ଛାତ୍ରୀଙ୍କ ନାଁରେ ଆଡମିଟ କାର୍ଡ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଜୁବ ହୋଇଯାଇଥିଲେ। ସ୍କୁଲ୍ ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳ ଅଭାବରୁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟର ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ୧୨୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି।
ସୂଚନାନୁଯାୟୀ, ରାୟଗଡ଼ା ଜିଲ୍ଲାରେ ୧୧ଟି ବ୍ଲକରେ ୧୧ ଟି ନୋଡାଲ ସେଣ୍ଟର କରାଯାଇଥିଲା। ଜିସିଡି ହାଇସ୍କୁଲ ନୋଡାଲ ସେଣ୍ଟର ଅଧୀନରେ ୧୧ଟି ପରୀକ୍ଷା ସେଣ୍ଟର କରାଯାଇଥିବା ବେଳେ ୨୨୪୮ ଜଣ ପିଲାଙ୍କ ଫର୍ମ ପୂରଣ ହୋଇଥିଲା। ସେଥି ମମଧ୍ୟରୁ ୧୯୯୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୨୫୧ ଅନୁପସ୍ଥିତ ଥିଲେ। ଠିକ ସେହିପରି କାଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ୬ଟି ସେଣ୍ଟରରେ ୧୨୩୧ ଜଣଙ୍କ ମଧ୍ୟରୁ ୧୦୫୪ ପରୀକ୍ଷା ଦେଇଥିବା ବେଳେ ୧୭୭ ଜଣ ଅନୁପସ୍ଥିତ ଥିଲେ। କଲ୍ୟାଣସିଂହପୁର ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ୬ଟି ସେଣ୍ଟରରେ ୧୧୮୮ ଜଣ ପିଲା ଫର୍ମ ପୂରଣ କରିଥିବା ବେଳେ ୧୦୨୬ ଜଣ ପିଲା ପରୀକ୍ଷା ଦେଇଥିଲେ। ୧୬୨ ଅନୁପସ୍ଥିତ ଥିଲେ।
କୋଲନରାର ଜଗଦମ୍ବା ଉଚ୍ଚ ବିଦ୍ୟାଳୟ ଅଧୀନରେ ୬ଟି ସେଣ୍ଟର ଥିବା ବେଳେ ଫର୍ମ ପୂରଣ କରିଥିବା ୧୦୫୯ ପିଲାଙ୍କ ମଧ୍ୟରୁ ୯୩୦ ପରୀକ୍ଷା ଦେଇଥିବା ବେଳେ ୧୨୯ ଅନୁପସ୍ଥିତ ଥିଲେ। ବିଷମକଟକ ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନସ୍ଥ ୬ଟି ପରୀକ୍ଷା ସେଣ୍ଟରରେ ୧୦୫୮ ପିଲା ଫର୍ମ ପୂରଣ କରିଥିବା ବେଳେ ୯୬୫ ଜଣ ପିଲା ପରୀକ୍ଷା ଦେଇଥିଲେ। ୯୩ ଅନୁପସ୍ଥିତ ଥିଲେ। ମୁନିଗୁଡା ଉଚ୍ଚ ବିଦ୍ୟାଳୟ ଅଧୀନରେ ୬ଟି ପରୀକ୍ଷା ସେଣ୍ଟରରେ ୧୦୬୯ ପିଲାଙ୍କ ବଦଳରେ ୯୬୬ ପରୀକ୍ଷା ଦେଇଥିଲେ। ୧୦୩ ଅନୁପସ୍ଥିତ ଥିଲେ। ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନ ୨ଟି ସେଣ୍ଟରରେ ୪୨୯ ପିଲାଙ୍କ ମଧ୍ୟରୁ ୪୧୮ ପରୀକ୍ଷା ଦେଇଥିବା ବେଳେ ୧୧ ଅନୁପସ୍ଥିତ ଥିଲେ। ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ୪ଟି ସେଣ୍ଟରରେ ୮୫୯ ପିଲାଙ୍କ ମଧ୍ୟରୁ ୭୮୫ ପରୀକ୍ଷା ଦେଇଥିବା ବେଳେ ୭୪ ଅନୁପସ୍ଥିତ ଥିଲେ। ପଦ୍ମପୁର ବି. ଏନ୍. ଉଚ୍ଚ ବିଦ୍ୟାଳୟ ଅଧୀନରେ ୪ଟି ସେଣ୍ଟର କରାଯାଇଥିବା ବେଳେ ୮୦୨ ପିଲାଙ୍କ ମଧ୍ୟରୁ ୭୨୫ ପରୀକ୍ଷା ଦେଇଥିଲେ। ୭୭ ଅନୁପସ୍ଥିତ ଥିଲେ। ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନରେ ୭ଟି ପରୀକ୍ଷା ସେଣ୍ଟରରେ ୧୩୯୯ ଜଣଙ୍କ ମଧ୍ୟରୁ ୧୩୦୬ ପରୀକ୍ଷା ଦେଇଥିବା ବେଳେ ୯୩ ଅନୁପସ୍ଥିତ ଥିଲେ। ଗୁଡାରି ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନରେ ୨ଟି ପରୀକ୍ଷା ସେଣ୍ଟରର ୪୬୪ ପିଲାଙ୍କ ମଧ୍ୟରୁ ୪୧୪ ପରୀକ୍ଷା ଦେଇଥଲା ବେଳେ ୫୦ ଅନୁପସ୍ଥିତ ଥିଲେ। ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୧୧ଟି ନୋଡାଲ ସେଣ୍ଟର ହୋଇଥିବା ବେଳେ ୬୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ୧୧ ହଜାର ୮୦୬ ଜଣ ପିଲା ଫର୍ମ ପୂରଣ କରିଥିବା ବେଳେ ୧୦ ହଜାର ୫୮୬ ଜଣ ପିଲା ପରୀକ୍ଷା ଦେଇଛନ୍ତି। ୧୨୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି।