ବିନା ଫର୍ମୁଲାରେ ଅପରାଧ ମୁକାବିଲା, ନିଦ ହଜାଇଲେଣି ଅପରାଧୀ

ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ, କୁହୁଳିଲାଣି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ବାଲେଶ୍ବର: ଲଗାତାର ଗୋଟିଏ ସପ୍ତାହ ବିତିଗଲା, ବାଲେଶ୍ବର ସହରରେ ଅପରାଧ ଥମିବାର ନାଁ ଧରୁନି। ଦିନେ ଛାଡ଼ି ଦିନେ ଆକ୍ରମଣ, ଲୁଟ୍‌, ଛିନ୍‌ତାଇ ଏପରିକି ଦୁଇଦୁଇଟି ଜଘନ୍ୟ ହତ୍ୟାକାଣ୍ଡ ଘଟି ସାରିଲାଣି। ଏମିତିକି ବଢ଼ୁଥିବା ଅପରାଧ ଯୋଗୁ ସହରବାସୀଙ୍କ ନିଦ ହଜିଗଲାଣି। ହେଲେ ପୁଲିସ ଅପରାଧୀଙ୍କୁ ଗ୍ୟାଙ୍ଗକୁ କାବୁ କରିବା ବଦଳରେ ଅନ୍ଧାରରେ ବାଡ଼ି ବୁଲାଉଥିବା ଅଭିଯୋଗ ହୋଇଛି।

ଫଳରେ ପୁଲିସର ଅପରାଧ ମୁକାବିଲା ଫର୍ମୁଲାକୁ ନେଇ ସହରବାସୀଙ୍କ ଭିତରେ ଅସନ୍ତୋଷ ‌କୁହୁଳୁଥିବା ଦେଖିବାକୁ ମିଳିଛି। ସହରର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ପୁଲିସ ବିରୋଧରେ  ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବାଲେଶ୍ବର ସହର ଓ ଏହାର ଚାରିପାଖ ଅଞ୍ଚଳକୁ ନେଇ ୪ଟି ଥାନା ୬ଟି ଫାଣ୍ଡି ରହିଛି। ତା’ ଛଡ଼ା ସହରର ସବୁ ଟ୍ରାଫିକ୍‌ ଛକ ଓ ପ୍ରବେଶପଥ ଗୁଡ଼ିକରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ଲାଗି ପୁଲିସ ପକ୍ଷରୁ ସିସି କ୍ୟାମେରା ଲଗାଯାଇଥିଲେ ହେଁ ଯଦିଓ ସେଥିରୁ ଅଧିକାଂଶ ସିସି କ୍ୟାମେରା ଅଚଳ ରହିଥିବା କୁହାଯାଉଛି। ତେବେ ସହରର ଅଧିକାଂଶ ଲୋକଙ୍କ ଘର, କଲୋନି, ଛକ, ‌ବ୍ୟାବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ବାହାରେ ମଧ୍ୟ ସିସି କ୍ୟାମେରା ୨୪ ଘଣ୍ଟା ଚାଲୁଛି।

ପୁଲିସ ସେଗୁଡ଼ିକ ସଂଗ୍ରହ କରି ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ କରିବା ଦରକାର। ଗତ କିଛିମାସ ମଧ୍ୟରେ ସହରର କଲେଜରୋଡ, ମଲ୍ଲିକାଶପୁର, ଆଜିମାବାଦ, ଭୋଇସାହି, ତାରିଣୀଛକ ଆଦି ଅଞ୍ଚଳକୁ ଲୁଟେରା ଗ୍ୟାଙ୍ଗ୍‌ ଫୋକସ୍‌ କରିଥିବା ବେଳେ ମୋବାଇଲ, ସୁନାଚେନ୍‌, ମନିପର୍ସ ଆଦି ଛିନ୍‌ତାଇ ବଢ଼ିଚାଲିଛି। ଏ ଅଞ୍ଚଳରେ ରହୁଥିବା ଅନେକ ଛାତ୍ରଛାତ୍ର ଲୁଟର ଶିକାର ହୋଇ ଥାନାରେ ଅଭିଯୋଗ କରୁଥିଲେ ହେଁ ନାଁ ପୁଲିସ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରିଛି ନା ଏ ଅଞ୍ଚଳରେ ଅପରାଧୀଙ୍କ ଗତିବିଧି କିପରି କମିବ ସେତିପ୍ରତି ଧ୍ୟାନ ଦେଉଛି। ସେହିପରି ଅରଡ଼ବଜାର, ନୂଆବଜାର, ନୀଳିଆବାଗ, ରାଣୀପାଟଣା, ସହଦେବଖୁଣ୍ଟା, ଫାଣ୍ଡିଛକ ଆଦି ଅଞ୍ଚଳକୁ ଆଉ ଏକ ଗୋଷ୍ଠୀ ଅପରାଧ କରିଡର କରିଥିବା ବେଳେ ସହଦେବଖୁଣ୍ଟା ଥାନାରେ ଗତ ବର୍ଷେ ହେଲା ଆଇଆଇସି ପଦ ‌ସମେତ ଅଧିକାଂଶ ସବ୍ଇନ୍ସପେକ୍ଟର ଓ ପୁଲିସ କର୍ମଚାରୀ ପଦ ଫାଙ୍କା‌ ପଡ଼ିଛି।

ଦିନ ଦ୍ବିପ୍ରହରରେ ଏହି ଅଞ୍ଚଳରେ ବାଇକ୍‌ ଚୋରି, ନିଶା କାରବାର,  ଛିନ୍‌ତାଇ ଓ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଅପରାଧୀମାନେ ଟାର୍ଗେଟ୍‌ କରୁଥିବା ଦେଖାଯାଉଛି। ତେବେ ପୁଲିସ ପ୍ରଶାସନ କାହିଁକି ନିଷ୍କ୍ରିୟ ହୋଇଯାଇଛି ତାହା ବୁଝା ପଡ଼ୁନାହିଁ। ଫଳରେ ଅପରାଧୀଗୋ‌ଷ୍ଠୀ ‌ଆଉ ଲୁଚାଛପାରେ ଆତଙ୍କ ସୃଷ୍ଟି ନକରି ରାଜରାସ୍ତାରେ ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି। ତେଣୁ ସହରବାସୀ ପୁଲିସ ପ୍ରଶାସନର ଏ ପ୍ରକାର ଅପରାଧ ମୁକାବିଲା ଫର୍ମୁଲାକୁ ନେଇ ଅସନ୍ତୋ‌ଷ ପ୍ରକ‌ାଶ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର