ବ୍ରହ୍ମପୁର : ପ୍ରାୟ ୨୫ବର୍ଷ ତଳେ ହୋଇଥିବା ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାରଣା ହୋଇ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୧ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାପଡ଼ିଛି। ସେ ହେଲେ ବ୍ରହ୍ମପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ବ୍ରିଟ୍)ର ତତ୍କାଳୀନ ପ୍ଲାନିଂ ଆସିଷ୍ଟାଣ୍ଟ ବେଣୁଧର ଦଳବେହେରା (୭୮)। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଡା. ଅରୁଣ କୁମାର ସାହୁ ଏହି ମାମଲାର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀକୁ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ମୁତାବକ, ବେଣୁଧର ବେହେରାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଂଚଳରେ ହୋଇଥିବା ବେଳେ ୧୯୯୭ମସିହାରେ ବ୍ରିଟ୍ (ବତ୍ତର୍ମାନର ବିଡିଏ)ର ପ୍ଲାନିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସେହି ବର୍ଷ ଏପ୍ରିଲ୍ ୧୭ରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକସଂଗେ ତାଙ୍କର ଆବାସ ସମେତ ତିନିଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଆକଳନ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ୮,୭୪,୦୩୭ ଟଙ୍କାର ହିସାବ ଶ୍ରୀ ଦଳବେହେରା ଦେଇ ପାରିନଥିଲେ, ଯାହାକି ସେତେବେଳେ ତାଙ୍କ ଆୟର ୯୯.୦୯% ଅଧିକା ଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ପରେ ସେ ସର୍ତ୍ତମୂଳକ ଜାମିନ୍ ପାଇଥିଲେ। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଭିଜିଲାନ୍ସ ପକ୍ଷରୁ ଦାଖଲ ଚାର୍ଜସିଟ୍ ଏବଂ ୨୦ଜଣଙ୍କ ସାକ୍ଷ୍ୟଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚଳାନ କରିଥିଲେ।