ବିରୋଧୀଙ୍କ ବିନା ଶକ୍ତି ବିଭାଗର ଖର୍ଚଦାବି ପାରିତ

ଏ ବର୍ଷ ଆଉ ୧୭ ଲକ୍ଷ ପରିବାରଙ୍କୁ ବିଜୁଳି, ୨୦୨୧ ସୁଦ୍ଧା ବିଜୁଳି ଚାହିଦା ୫୭୦୦ ମେଗାଓ୍ଵାଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ବିରୋଧୀଙ୍କ ଅନୁପସ୍ଥିତିରେ ଶକ୍ତି ବିଭାଗର ୧୯୮୩.୫୪ କୋଟି ୩୫ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଛି। ଏ ନେଇ ଅନୁଷ୍ଠିତ ଆଲୋଚନା ଶେଷରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଲେ, ରାଜ୍ୟର ୬୮ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦିଆଯାଇଛି। ଏ ବର୍ଷ ଆଉ ୧୭ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍‌ ଶକ୍ତି ଯୋଗାଇଦେବାର ଲକ୍ଷ୍ୟ ରହିଛି। ସେହିପରି ୨୦୨୦-୨୧ ବେଳକୁ ରାଜ୍ୟର ବିଜୁଳି ଚାହିଦା ୫୭୦୦ ମେଗାଓ୍ଵାଟ୍‌କୁ ବୃଦ୍ଧି ପାଇବ। ସେଥିପାଇଁ ରାଜ୍ୟ ସରକାର କି କି ପଦକ୍ଷେପ ନେଉଛନ୍ତି ସେ ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ।

ଆଲୋଚନା ଆରମ୍ଭ କରି ଶାସକ ଦଳ ବିଧାୟକ ଜୀବନ ପ୍ରଦୀପ ଦାଶ କହିଲେ, ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ବିଦ୍ୟୁତ୍‌ ଶକ୍ତି କ୍ଷତି ପରିମାଣ ଆହୁରି ହ୍ରାସ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ନେବାକୁ ସେ ପରାମର୍ଶ ଦେଇଥିଲେ। ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀ ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ କରିଥିଲେ ବିଧାୟକ ବ୍ରଜକିଶୋର ପ୍ରଧାନ। ବରିଷ୍ଠ ବିଧାୟକ ମଙ୍ଗଳା କିଷାନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଭଳି ଅନୁସୂଚିତ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ଥିବା ବେଳେ ଯେତିକି ଭିତ୍ତିଭୂମି ସୃଷ୍ଟି ହୋଇଥିଲା, ପରବର୍ତୀ ସମୟରେ ଆବଶ୍ୟକ ମୁତାବକ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ।

ଶକ୍ତି ମନ୍ତ୍ରୀ କହିଲେ, ଆଗାମୀ ୨୦୨୧ ବେଳକୁ ସମ୍ଭାବ୍ୟ ବିଜୁଳି ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେହିପରି ଗତ ଚାରି ବର୍ଷରେ ରାଜ୍ୟର ୪୭୪୭୭ ଗ୍ରାମଗୁଡ଼ିକରେ ୯୯ ପ୍ରତିଶତ ବିଦ୍ୟୁତୀକରଣ ହୋଇସାରିଲାଣି। ସାମୂହିକ ଯାନ୍ତ୍ରିକ ଓ ବାଣିଜ୍ୟିକ(ଏଟିସିି) କ୍ଷତି ୪୧.୮୯ରୁ ୩୨ ପ୍ରତିଶତକୁ କମିଛି। ଏହାବ୍ୟତୀତ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ମନ୍ତ୍ରୀ ଶ୍ରୀ ସିଂହ ବିସ୍ତତ ଭାବେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ରୋହିତ ପୂଜାରୀ, ଦିବ୍ୟଶଙ୍କର ମିଶ୍ର, ଆୟୁବ ଖାଁ, ଅଶ୍ୱିନୀ ପାତ୍ର, ସୁବ୍ରତ ତରାଇ, ଗଣେଶ୍ୱର ପାତ୍ର, ବିଜୟ ନାୟକ ପ୍ରମୁଖ ନିଜ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ଅଭିଯୋଗଗୁଡ଼ିକୁ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର