ଭାଗଚାଷୀ ଓ ଛୋଟଚାଷୀଙ୍କୁ ବାଦ୍‌ ଦେଇ ପୂର୍ଣ୍ଣାଙ୍ଗ ଚାଷୀ ଆନ୍ଦୋଳନ ଅସମ୍ଭବ

ଭୁବନେଶ୍ୱର: ୧୭୨ଟି କୃଷକ ସଂଗଠନକୁ ନେଇ ଗଠିତ ଅଖିଳ ଭାର କିଷାନ ସଂଘର୍ଷ ସମନ୍ଵୟ ସମିତିର ନେତୃବୃନ୍ଦ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସମିତିର ଓଡ଼ିଶା ଶାଖା ପକ୍ଷରୁ ଏଥିପାଇଁ ଲୋୟର ପିଏମ୍‌ଜିରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ସର୍ବଭାରତୀୟ ଅଭିଯାତ୍ରୀଙ୍କୁ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ସ୍ୱାଗତ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଆୟୋଜିତ ସମାବେଶରେ ଜୟ କିଷାନ ଆନ୍ଦୋଳନର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ ଯୋଗ ଦେଇ କହିଲେ, ଓଡ଼ିଶାରେ ଚାଷୀ ଅନ୍ଦୋଳନ କଥା ଆସିଲେ ଚିନ୍ତାନାୟକ କିଷାନ ପଟ୍ଟନାୟକଙ୍କ କଥା ମନେ ପଡ଼ିଥାଏ। ଚାଷୀ ଆନ୍ଦୋଳନରେ ମହିଳାଙ୍କ ସଂପୃକ୍ତି ଚାଷୀ ପ୍ରତି ଥିବା ସମ୍ବେଦନଶୀଳତାକୁ ସାମ୍ନାକୁ ଆଣିଛି। ତେବେ ଭାଗଚାଷୀ ଓ ଛୋଟଚାଷୀଙ୍କୁ ବାଦ୍‌ ଦେଇ ପୂର୍ଣ୍ଣାଙ୍ଗ ଚାଷୀ ଆନ୍ଦୋଳନ ସମ୍ଭବ ହୋଇପାରିବ ନାହିଁ। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ଅନ୍ତର୍ଜାତୀୟ ବଜାରକୁ ପଠାଇଲେ ବି ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବରଂ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପ୍ରଦାନ ଓ ଭ୍ୟାଲୁ ଆଡିସନ କରାଗଲେ ଚାଷୀ ଆତ୍ମହତ୍ୟା କମିବା ସହିତ ନିଯୁକ୍ତି ବୃଦ୍ଧି ପାଇବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ବିଧାନସଭାରେ ବିଲ୍‌ ପାରିତ କରିଦେଲେ ହେବ ନାହିଁ। ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କଲେ ହିଁ ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ ଥିବା ଜଣାପଡ଼ିବ ବୋଲି ଶ୍ରୀ ଯାଦବ କହିଥିଲେ।

ଏହି ସମାବେଶରେ ହାନନ ମୁଲ୍ଲା, ଡା.ସୁନୀଲମ୍‌, ରଘୁନାଥ ଦାସ, ଅଭିକ ସାହା, ତେଜରାମ ବିଦ୍ରୋହୀ, ବିଜୁ କ୍ରିଷ୍ଣନ୍‌, ଆର.ଚନ୍ଦ୍ରଶେଖର ଓ କାର୍ତ୍ତିକ ପାଲ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନର ଉଦ୍ଧବ ଜେନା, ଜ୍ୟୋତିରଂଜନ ମହପାାତ୍ର, ଅଶୋକ ପ୍ରଧାନ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ନରେନ୍ଦ୍ର ମହାନ୍ତି, ବିଜୟ ସ୍ୱାଇଁ, ଯମେଶ୍ୱର ସାମନ୍ତରାୟ, ବଳଭଦ୍ର ମଳିକ, ରାଜ ନାରାୟଣ ଡାକୁଆ, ଅନିରୁଦ୍ଧ ମଲ୍ଲିକ ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଚାଷୀ ହତ୍ୟାକାରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ବିରୋଧୀ ନୀତି ବିରୋଧରେ ମିଳିତ ଓ ସଂଗଠିତ ଜନ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ନେତୃମଣ୍ଡଳୀ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର