ଯାଜପୁର: ପାଣିପାଗ ବିଭାଗ ସୂଚନା ମୁତାବକ କେରଳରେ ମୌସୁମୀ ପହଞ୍ଚି ସାରିଥିବା ବେଳେ ଓଡ଼ିଶାରେ ଖୁବଶୀଘ୍ର ପହଞ୍ଚିବ। ମୌସୁମୀ ବର୍ଷାରେ ବନ୍ୟା ଆଶଙ୍କା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ନିଆଯାଉଛି। ବନ୍ୟା ସମୟରେ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହିତ ବିପନ୍ନଙ୍କୁ ଉଦ୍ଧାର, ସହାୟତା ଯୋଗାଇ ଦେବାକୁ ସ୍ବତନ୍ତ୍ର ରିଲିଫ କମିସନଙ୍କ ନିୟନ୍ତ୍ରଣରେ ଥିବା ଷ୍ଟେଟ୍ ପୋର୍ଟ ଇଂଜିନିୟରଙ୍କ ସହଯୋଗରେ ଜରୁରୀ ସେବା ବିଭାଗ ଦ୍ବାରା ବିଭିନ୍ନ ଜିଲ୍ଲାରେ ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତ ହୋଇଛନ୍ତି। ଅଭିଜ୍ଞ ଓ ଦକ୍ଷ ନାବିକମାନଙ୍କୁ ୬ ମାସିଆ ଅସ୍ଥାୟୀ ନିଯୁକ୍ତି ପାଇଁ ପ୍ରତିବର୍ଷ ପରୀକ୍ଷା କରାଯାଉଥିବା ବେଳେ ଏଥିରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ୯୦ ଭାଗ ଦୃଷ୍ଟିଦୋଷ ଥିବା ଓ ପହଁରା ଜାଣିନଥିବା ବ୍ୟକ୍ତିଙ୍କୁ ନାବିକ ନିଯୁକ୍ତି ମିଳିଛି। ଅଥଚ ୧୦ବର୍ଷ ଧରି ନାବିକ ରୂପେ ଅଭିଜ୍ଞତା ଥିବା ତଥା ସମୁଦ୍ରରେ ମାଛ ମାରୁଥିବା ବ୍ୟକ୍ତିଙ୍କୁ ଉଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।
ବର୍ଷା ଋତୁରେ ଜୁନ୍ରୁ ନଭେମ୍ବର ୬ମାସ ବନ୍ୟା ଆଶଙ୍କା ଦୃଷ୍ଟିରେ ରଖି ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ମାସିକ ୮୮୭୦ ଟଙ୍କା ଦରମା ଥିବା ବେଳେ ଏବେ ଏହା ୧୧ହଜାର ୧ଶହ ଟଙ୍କାକୁ ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାରେ ଏଥର ୩୫ଜଣ ନାବିକ ଓ ୩୨ଜଣ ଖଲାସୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ନିଯୁକ୍ତି ପାଇଆସୁଥିବା ଅଭିଜ୍ଞ ନାବିକ ଦୁର୍ଯ୍ୟୋଧନ ମହାନ୍ତି ୨ବର୍ଷ ହେଲା ନିଯୁକ୍ତିରୁ ବାଦ ପଡ଼ିଛନ୍ତି। ଏଥର ମଧ୍ୟ ଶ୍ରୀ ମହାନ୍ତି ପରୀକ୍ଷାରେ ଭଲ କରିଥିଲେ ବି ଉଦେଶ୍ୟମୂଳକ ଭାବେ ତାଙ୍କୁ ବାଦ୍ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଅଥଚ କୋରେଇର ୨ଜଣଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନେ ନୌକା ଚଳାଇବା ଜାଣିନଥିବା ବେଳେ ଜଣେ ୯୦ଭାଗ ଦୃଷ୍ଟିହୀନ । ବିନା ଚଷମାରେ ଦେଖିବା ଅସମ୍ଭବ ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ନୌକା ଦୁର୍ଘଟଣା ଘଟି ବହୁ ଜୀବନ ନଷ୍ଟ ହେଉଥିବା ବେଳେ ଏଭଳି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଉମେଶ ଲେଙ୍କାକୁ ପଚାରିବାରେ ସେ କହିଛନ୍ତି ଅବେଦନକାରୀଙ୍କ ପ୍ରମାଣପତ୍ର ତନଖି ପରେ ଅଭିଜ୍ଞ ଅଧିକାରୀ ଫାୟାର ଅଫିସର, ଡାକ୍ତରୀ ଦଳ, ଷ୍ଟେଟ୍ ପୋର୍ଟ ଇଂଜିନିୟରଙ୍କ ପ୍ରତିନିଧିଙ୍କ ଦ୍ବାରା ପରୀକ୍ଷାନିରୀକ୍ଷା ଓ ନୌଚାଳନା ପରୀକ୍ଷା କରାଯାଉଛି। ସେଥିରେ ସେ କିମ୍ବା ତାଙ୍କ କାର୍ଯ୍ୟାଳୟର କୌଣସି କର୍ମଚାରୀ ସାମିଲ ହେଉନାହାନ୍ତି। ୪୫ଜଣ ଆବେଦନ କରିଥିବା ବେଳେ ୩୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଅଭିଯୋଗର ସତ୍ୟାସତ୍ୟ ନାହିଁ ବୋଲି ଶ୍ରୀ ଲେଙ୍କା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/67.jpg)