ବ୍ରହ୍ମପୁର: ପୂର୍ବଭଳି ଆଉ ଗଛ ଦେଖିବାକୁ ମିଳୁ ନାହିଁ। ଲୋକେ ମନଇଚ୍ଛା ଗଛ କାଟି ଚାଲିଛନ୍ତି। ଏହାଦ୍ବାରା ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ହ୍ରାସ ପାଉଛି। ଯଦି ଏଭଳି ସ୍ଥିତି ଜାରି ରହିବ ତେବେ ମନୁଷ୍ୟ ସମାଜ ବଞ୍ଚିବା କଷ୍ଟକର ହୋଇ ପଡ଼ିବ। ଅମ୍ଳଜାନ ନ ମିଳିଲେ ଆମେ ବଞ୍ଚିବା କେମିତି? ଏଣୁ ନିଜେ ବଞ୍ଚିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ ବୋଲି ଚିକିଟି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା କହିଛନ୍ତି।

Advertisment

‘ସମ୍ବାଦ’ ତରଫରୁ ଆଜି ଚିକିଟି ନିର୍ବାଚନମଣ୍ଡଳୀର ପାତ୍ରପୁର ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ଭବନଠାରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଚିକିଟି ବିଧାୟକ ଶ୍ରୀ ଦ୍ୟାନସାମନ୍ତରା ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପରିବେଶ ପାଇଁ ବୃକ୍ଷ ନିହାତି ଆବଶ୍ୟକ। କାରଣ ଗଛ ଥିଲେ ବର୍ଷା ହେବ ଓ ମୃତ୍ତିକା କ୍ଷୟକୁ ରୋକିହେବ। ଗଛ ସଂଖ୍ୟା କମୁଥିବାରୁ ବନ୍ୟପ୍ରାଣୀ ଏବେ ଜନବସତିମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଆମେ ନିଜ ସ୍ବାର୍ଥ ପାଇଁ ସେମାନଙ୍କ ଘର ଉଜାଡ଼ି ଦେଉଛେ। ଏଣୁ ଏ ଦିଗରେ ସମସ୍ତେ ସଚେତନ ହୋଇ ନିଜେ ଗଛ ଲଗାଇବା ସହିତ ଅନ୍ୟକୁ ମଧ୍ୟ ଏଥିରେ ସାମିଲ କରିବାକୁ ବିଧାୟକ ଆହ୍ବାନ ଦେଇଥିଲେ। ତତ୍‌ସହିତ ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜନ ଉପରେ ଗୁରୁତ୍ବାରୋପ କରିଥିଲେ। ପଲିଥିନ୍ ଦ୍ବାରା ପରିବେଶ ବହୁ ମାତ୍ରାରେ ଦୂଷିତ ହେବା ସହିତ ମାଟିକୁ ମଧ୍ୟ କ୍ଷତି ପହଞ୍ଚାଉଛି। ପଲିଥିନ୍‌ ଜମା ହେଉଥିବାରୁ ମାଟି ଭିତରକୁ ପାଣି ଯାଇ ପାରୁ ନାହିଁ। ଏଣୁ ଭୂତଳ ଜଳସ୍ତର ହ୍ରାସ ପାଇ କୂଅ ପାଣି ଶୁଖି ଯାଉଛି। ତେଣୁ ପଲିଥିନ୍‌ ବର୍ଜନ କରିବାକୁ ବିଧାୟକ କହିଥିଲେ। ସେହିପରି ଚାଷୀମାନେ ୟୁରିଆ ଛାଡ଼ି ଜୈବିକ ସାର ବ୍ୟବହାର କରନ୍ତୁ। ଏହାଦ୍ବାରା ମାଟିର ଉର୍ବରତା ବୃଦ୍ଧି ପାଇବା ସହିତ ଶରୀର ମଧ୍ୟ ସୁସ୍ଥ ରହିବ ବୋଲି ବିଧାୟକ ଶ୍ରୀ ଦ୍ୟାନସାମନ୍ତରା କହିଥିଲେ। ସମ୍ମାନିତ ଅତିଥି ପାତ୍ରପୁର ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରତିନିଧି ୱାଇ.ମୋହନ ରାଓ, ଉପାଧ୍ୟକ୍ଷ ଅନାଦୀ ଚରଣ ପଣ୍ଡିତ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଦରକାର ବୋଲି କହିଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ସଂଯୋଜନା କରିଥିଲେ।