ପୁନରୁତ୍ଥାନର ସାକ୍ଷୀ

ପିଟି ଉଷା

ମୁଁ ଯେତେବେଳେ ମୋର କ୍ରୀଡ଼ାବିତ୍ ଯାତ୍ରା ଓ ବର୍ତ୍ତମାନ ଭାରତୀୟ ଅଲିମ୍ପିକ ସଂଘର ପ୍ରଥମ ମହିଳା ସଭାପତି ଭାବରେ କାର୍ଯ୍ୟ ବିଷୟରେ କହେ ସେତେବେଳେ ଏକ ଗର୍ବ ଓ ଆତ୍ମତୃପ୍ତିରେ ମୁଁ ବିହ୍ୱଳିତ ହୋଇପଡ଼େ। ଗତ ନଅବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ମଧ୍ୟରେ ଭାରତୀୟ କ୍ରୀଡ଼ାର ଯେଉଁ ଅପୂର୍ବ ପରିବର୍ତ୍ତନ ଦେଖାଦେଇଛି ତାହା ବାସ୍ତବିକ ପ୍ରେରଣାଦାୟୀ। ଭିତ୍ତିଭୂମିରେ ଉନ୍ନତି ସହିତ ଏହାର ବିକାଶ ଓ ତାଲିମ ଉପରେ ଅଧିକ ଧ୍ୟାନ ଓ ପାଣ୍ଠିର ଉପଯୋଗ ଯୋଗୁ କ୍ରୀଡ଼ାର ସଫଳତା ଅଭୂତପୂର୍ବ ହୋଇଛି।

ଏହି ପରିବର୍ତ୍ତନର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ବିଶେଷ କରି ଗ୍ରାମାଞ୍ଚଳ ଓ ଅନେକ ଅସୁବିଧାର ପୃଷ୍ଠଭୂମିରୁ ଆସିଥିବା ମହିଳା କ୍ରୀଡ଼ାବିତ୍‌ଙ୍କ କ୍ରୀଡ଼ାନୈପୁଣ୍ୟ ଓ ସଫଳତା। ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ଏହି ମହିଳାଗଣ ହାରିଯାଇ ନାହାନ୍ତି। ଅନ୍ତର୍ଜାତୀୟ ସ୍ତରରେ ଦୌଡ଼କୁଦ, ହକି, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କୁସ୍ତି, ଭାରୋତ୍ତୋଳନ ଓ ମୁଷ୍ଟିଯୁଦ୍ଧ ଭଳି କ୍ରୀଡ଼ା ଶ୍ରେଣୀରେ ଅନବଦ୍ୟ ସଫଳତା ସେମାନଙ୍କ ଅଦମନୀୟ ଉତ୍ସାହ ଓ ଅସୀମ ଉତ୍ସର୍ଗର ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କ୍ରୀଡ଼ାବିତ୍‌ମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ମତବିନିମୟ ବାସ୍ତବିକ ଖୁବ୍ ଉତ୍ସାହପ୍ରଦ। ଏହା ସେମାନଙ୍କ ମନରେ ଦୃଢ଼ ବିଶ୍ୱାସ ଜଗାଇଛି। ବ୍ୟକ୍ତିଗତ ଯୋଗାଯୋଗ ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କଠାରେ ଏକ ବିଜୟୀ ମନୋଭାବ ସୃଷ୍ଟି କରିଥାଏ।

ଭାରତ ସରକାର କ୍ରୀଡ଼ା କ୍ଷେତ୍ରର ବଜେଟ ବ୍ୟୟବରାଦ ବୃଦ୍ଧି କରିଛନ୍ତି ଓ ଏହା ଆମ ସଫଳତାର ଅନ୍ୟ ଏକ କାରଣ। କ୍ରୀଡ଼ାର ଅବସ୍ଥାନ୍ତରଜନିତ ଶକ୍ତିକୁ ସ୍ୱୀକୃତି ଦେଇ ସରକାର କ୍ରୀଡ଼ା ବାବଦ ଖର୍ଚ୍ଚକୁ ପ୍ରାଥମିକତା ଦେବା ସହ ଏହାର ଭିତ୍ତିଭୂମି ବୃଦ୍ଧି, ତାଲିମ କାର୍ଯ୍ୟକ୍ରମ ଓ କ୍ରୀଡ଼ାବିତ୍ କଲ୍ୟାଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ଖେଲୋ ଇଣ୍ଡିଆ ପଦକ୍ଷେପ ଦେଶରେ ଏକ ନୂତନ କ୍ରୀଡ଼ା ସଂସ୍କୃତି ବିକଶିତ କରିବାରେ ସହାୟକ ହେଉଛି। ଆନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଖେଲୋ ଇଣ୍ଡିଆ ଦେଶର କୋଣ-ଅନୁକୋଣରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରି ବାହାର କରିବାରେ ସମର୍ଥ ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଫିଟ୍ ଇଣ୍ଡିଆ ଆନ୍ଦୋଳନ ମଧ୍ୟ ଦେଶକୁ ଫିଟ୍ ରଖିବାରେ ସମର୍ଥ ହୋଇଛି। ଏକ ସକ୍ରିୟ ଜୀବନଶୈଳୀ ଉପରେ ଗୁରୁତ୍ୱ ଆରୋପ କରି ଏହି ଆନ୍ଦୋଳନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଖେଳକୁ ଆପଣାଇବାକୁ ପ୍ରୋତ୍ସାହିତ କରିଛି।
ସବୁଠାରୁ ପ୍ରଭାବୀ ପଦକ୍ଷେପ ଯାହା ଭାରତୀୟ କ୍ରୀଡ଼ାକୁ ନୂତନ ଶିଖରରେ ପହଂଚାଇ ପାରିବ, ତାହା ହେଲା ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ ବା (ଟପ୍‌ସ)। ଏହି ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିପାରିବ, କାରଣ ଏହା ଦେଶର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଭାଙ୍କୁ ଠାବ କରି ସେମାନଙ୍କ ଅଭିବୃଦ୍ଧି ଘଟାଇଥାଏ। ଏହି ଯୋଜନା ଦ୍ୱାରା କ୍ରୀଡ଼ାବିତ୍‌ମାନେ ବିଶ୍ୱସ୍ତରୀୟ ତାଲିମ, ସ୍ୱତନ୍ତ୍ର ପ୍ରଶିକ୍ଷଣ, ଆର୍ଥିକ ସହାୟତା ତଥା ବିଶ୍ୱସ୍ତରରେ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ ଦିଗରେ ଯାହା ଯାହା ଆବଶ୍ୟକ ସେ ସବୁ ପାଇଥାନ୍ତି। ବ୍ୟକ୍ତିଗତ ତାଲିମ ଓ ତଦାରଖ ନିଃସନ୍ଦେହରେ ଆମର କ୍ରୀଡ଼ାବିତ୍‌ମାନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏହାଛଡ଼ା ଜାତୀୟ ଉକ୍ରର୍ଷ କେନ୍ଦ୍ର (ଏସିଓଇଏସ୍) ଭାରତୀୟ କ୍ରୀଡ଼ା ଦୃଶ୍ୟପଟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏଥିରେ ସମସ୍ତ ଅତ୍ୟାଧୁନିକ ଭିତ୍ତିଭୂମି, ତାଲିମ ସୁବିଧା, ସ୍ୱନାମଧନ୍ୟ ପ୍ରଶିକ୍ଷକ ଓ ସହାୟକ ଯୋଗାଇ ଦିଆଯାଇଥାଏ। ଏଥିରେ କ୍ରୀଡ଼ାବିତ୍‌ମାନେ ବିଶ୍ୱସ୍ତରୀୟ ତାଲିମ ପାଇବା ସହ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ପାଇଥାନ୍ତି। ସରକାରଙ୍କ ସାମଗ୍ରିକ କ୍ରୀଡ଼ା ବିକାଶ ନୀତି ଯୋଗୁ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତ ଅସାଧାରଣ ସଫଳତା ହାସଲ କରିଛି। ଆମର କ୍ରୀଡ଼ାବିତ୍‌ମାନେ ପଦକ ହାସଲ କରିବା ସହ ଅଲିମ୍ପିକ, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ୱ ଚାମ୍ପିଅନସିପରେ ରେକର୍ଡ କରିଛନ୍ତି। ମୋର ଦୃଢ଼ ବିଶ୍ୱାସ ଯେ ସାମାଜିକ ଓ ଆର୍ଥିକ ବିକାଶରେ କ୍ରୀଡ଼ା ଏକ ଶକ୍ତିଶାଳୀ ମାଧ୍ୟମ। କ୍ରୀଡ଼ାରେ ସାମିଲ ଆମର ଯୁବ ଭାରତୀୟମାନେ ସେମାନଙ୍କ ଶାରୀରିକ ଦକ୍ଷତା ହାସଲ ସହ ଦେଶର ମାନବସମ୍ବଳ ବିକାଶକୁ ବହୁମୂଲ୍ୟ ଅବଦାନ ଦେଇପାରିବେ। କେନ୍ଦ୍ର ସରକାର ଓ ଭାରତୀୟ ଅଲିମ୍ପିକ ସଂଘ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର