ବ୍ୟାସନଗର : ସାଉଦି ଆରବର ତାଇଫ୍ ସହରର ଏକ ହୋଟେଲରେ କାମ କରି ଶୋଷଣର ଶିକାର ହୋଇଥିବା ଯାଜପୁର ଜିଲ୍ଲାର ୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଫୌଜଦାରି ମାମଲା କାରଣରୁ ଆଉ ଦୁଇ ଶ୍ରମିକ ସେଠାରେ ଫସି ରହିଛନ୍ତି। ରାଜ୍ୟ ଶ୍ରମ ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ, ଭାରତର ବୈଦେଶିକ ମନ୍ତ୍ରଣାଳୟ, ସାଉଦି ଆରବସ୍ଥିତ ଭାରତୀୟ ଦୂତାବାସ, ଗ୍ଲୋବାଲ ଓଡ଼ିଆ ଫାଉଣ୍ତେସନ୍, ବାହାରିନର ମିଳିତ ଉଦ୍ୟମ ଫଳରେ ୩ ଜଣଙ୍କୁ ନିଜ ଗାଁ ଯାଜପୁର ସଦର ଥାନା ଅଡ଼ଙ୍ଗ ପୁରୁଷୋତ୍ତମପୁର ଓ ଜମଧର ଗାଁକୁ ଫେରାଇ ଅଣାଯାଇଛି।
ଉଦ୍ଧାର ୩ ଯୁବକ ହେଲେ ଅଡ଼ଙ୍ଗ ପୁରୁଷୋତ୍ତମପୁର ଗ୍ରାମର ଶେକ ଅବଦୁଲ ରହେମାନଙ୍କ ଦୁଇ ପୁଅ ଶେକ ସଲମନ (୨୮) ଓ ଶେକ ଇମ୍ରାନ ଏବଂ ଶେକ ସାଇରୁଦ୍ଦିନଙ୍କ ପୁଅ ଶେକ ଜଲ୍ଲାଉଦ୍ଦିନ (୨୭)। ତାଇଫ୍ର କିଙ୍ଗ ଖଲିଦ୍ ରୋଡ୍ରେ ଅବସ୍ଥିତ ‘ସୋରଫତ୍ ଇଣ୍ତିଆ’ ରେସ୍ତୋରାଁ ଓ ହୋଟେଲରେ ଏମାନେ କାମ କରୁଥିଲେ।
ଜମଧର ଗ୍ରାମର ଶେକ୍ ଅବଦୁଲ ଖଲିଫ୍ (୨୬) ଓ ଶେକ ନାସଦ ଆଲମ (୪୧)ଙ୍କ ସହ ମିଶି ୫ ଜଣ ସେଠାରେ ରୋଷେୟା ଓ ଟହଲିଆ କାମ କରୁଥିଲେ। କରୋନା ବ୍ୟାପିବାରୁ ୨୦୨୦ରେ ଏମାନେ ଘରକୁ ଫେରିବାକୁ ଚାହିଁଥିଲେ ବି ହୋଟେଲ ମାଲିକ ସେମାନଙ୍କୁ ଛାଡ଼ି ନ ଥିଲେ। ଲୁଚି ପଳାଇଯିବା ଆଶଙ୍କାରେ ହୋଟେଲ କର୍ତ୍ତୃପକ୍ଷ ସେମାନଙ୍କ ପାସପୋର୍ଟକୁ ଛଡାଇ ନେଇଯାଇଥିଲେ। ଏହାପରେ ସେମାନଙ୍କୁ ଭଲରେ ଖାଇବାକୁ ନଦେଇ ବିନା ଦରମାରେ କାମ କରାଉଥିଲେ। ଏନେଇ ଘର ଲୋକଙ୍କୁ ସେମାନେ ଜଣାଇବା ପରେ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଜଣାଇଥିଲେ।
ଜିଲ୍ଲାପାଳଙ୍କ ନିର୍ଦେଶରେ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ତଦନ୍ତ କରି ରାଜ୍ୟ ଶ୍ରମ କମିସନର ଏନ୍. ତିରୁମାଳା ନାଏକଙ୍କୁ ରିପୋର୍ଟ ଦେଇଥିଲେ। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ ୩ ଜଣଙ୍କୁ ଫେରାଇ ଅଣାଯାଇଛି। ଶେକ ଜଲ୍ଲାଉଦ୍ଦିନ ଓ ଶେକ ଇମ୍ରାନଙ୍କ ନାମରେ ସେଠାରେ ଫୌଜଦାରି ମାମଲା ଥିବା କାରଣରୁ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି। ଗ୍ଲୋବାଲ ଓଡ଼ିଆର ଅରୁଣ କୁମାର ପ୍ରତିହାର ସେମାନଙ୍କୁ ସହଯୋଗ କରିବା ସହ ଜଣଙ୍କର ଭଙ୍ଗା ଗୋଡର ଚିକିତ୍ସା କରାଇଥିଲେ।