ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବଲାଙ୍ଗୀର ଗସ୍ତ, ଲୋୟର ସୁକତେଲକୁ ଗୁରୁତ୍ୱ

ସପ୍ତାହେ ଭିତରେ ଖାଲି ପଦବିର ପୂରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ

ବଲାଙ୍ଗୀର : ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ବଲାଙ୍ଗୀର ଗସ୍ତରେ ଆସି ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି। ନିଜ ଜନ୍ମମାଟିର ସମସ୍ୟା ସହ ସେ ପୂର୍ବରୁ ଅବଗତ ଥିବାରୁ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପକୁ ତାଙ୍କ ପ୍ରଥମ ଗସ୍ତରେ ଗୁରୁତ୍ୱାରୋପ କରିଛନ୍ତି। ଲୋୟର ସୁକତେଲ ପ୍ରକଳ୍ପ କାମ କିଭଳି ଶୀଘ୍ର ଆରମ୍ଭ ହୋଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସରିବ ତାକୁ ନେଇ ସେ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଲୋୟର ସୁକତେଲ ଡିଭିଜନର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିସ୍ଥାପିତମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇ କାମ ଆରମ୍ଭ କରାଯାଇ ପ୍ରକଳ୍ପକୁ ସମାପ୍ତ କରାଯିବ ସେ ଦିଗରେ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ, ସମ୍ବଲପୁର, ବରଗଡ଼ ପରେ ସେ ବଲାଙ୍ଗୀର ଗସ୍ତରେ ଆସିଛନ୍ତି। ବଲାଙ୍ଗୀରର ଲୋକ ହୋଇଥିବାରୁ ଏଠାକାର ସବୁ ସମସ୍ୟାକୁ ମୁଁ ଜାଣିଛି। ସବୁଠୁ ବଡ଼ ପ୍ରକଳ୍ପ ଲୋୟର ସୁକତେଲ କାମ ଆରମ୍ଭ ହୋଇପାରୁ ନାହିଁ। ଏଣୁ ସେ ଯୋଗଦେବା ପରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସେହି ପ୍ରକଳ୍ପ କାମ କେମିତି ଶୀଘ୍ର ଆରମ୍ଭ ହେବ ସେ ଦିଗରେ ଉଦ୍ୟମ କରୁଛନ୍ତି। ପ୍ରତ୍ୟହ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ, ବଲାଙ୍ଗୀର ଜିଲ୍ଲାପାଳ ଓ ସେ ନିଜେ ପ୍ରକଳ୍ପ କାମକୁ ନେଇ ଆଲୋଚନା ଜାରି ରଖିଛନ୍ତି। ରାଜ୍ୟ ସରକାର ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳ, ଏସପିଙ୍କୁ ପ୍ରକଳ୍ପ କାମକୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିବା ସେ ସୂଚନା ଦେଇଥିଲେ। ପ୍ରକଳ୍ପରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କ ପାଇଁ ଏକ ଭଲ ପ୍ୟାକେଜ ଦେବାକୁ ଯୋଜନା କରାଯାଉଛି। ଯେଉଁ ପ୍ୟାକେଜ ପାଇଲେ ପ୍ରଭାବିତମାନେ ଖୁସିରେ ଘର ଛାଡ଼ିବେ। ଯାହାଙ୍କ ଜମି ନାହିଁ, ସେମାନଙ୍କୁ ବି କ୍ଷତିପୂରଣ ଦେବାର ବ୍ୟବସ୍ଥା ସେଥିରେ କରାଯାଉଛି। ପ୍ୟାକେଜ ନେଇ କାମ ଚାଲୁଥିବା ବେଳେ ତାହା ମଂଜୁର ହେବା ପରେ ସବିଶେଷ ସୂଚନା ସେ ଦେବେ ବୋଲି କହିଥିଲେ। ବର୍ତ୍ତମାନ ବିସ୍ଥାପିତମାନଙ୍କୁ ବୁଝାସୁଝା କାର୍ଯ୍ୟକ୍ରମ ବି ଚାଲୁଛି। ପ୍ରକଳ୍ପ କାମ ଦଶନ୍ଧି ହେଲା ସରୁନଥିଲେ ବି ଏଥର ସବୁ କାମ କେମିତି ଶୀଘ୍ର ନିର୍ଦ୍ଦିଷ୍ଟ ସମୟସୀମାରେ ସରିବ ସେ ଦିଗରେ ପଦକ୍ଷେପ ନିଆଯାଉଥିବା କହିଥିଲେ। ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ କାମ ପାଇଁ ଜୋରଦାର ଉଦ୍ୟମ ତାଙ୍କ ସ୍ତରରେ ଚଳାଇଥିବା ସେ ସୂଚନା ଦେଇଥିଲେ। ପ୍ରକଳ୍ପରେ ଅଣ୍ଡରଗ୍ରାଉଣ୍ଡ ପାଇପ ଲାଇନରେ ଜଳସେଚନ ହେବ। ପ୍ରାୟ ୫୧ ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି ସେ କହିଥିଲେ। ବର୍ତ୍ତମାନ ପ୍ରକଳ୍ପର ଆପ୍ରୋଚ ରାସ୍ତା କାମ ଚାଲିଛି। ଯାହା ପଦବି ଖାଲି ରହିଛି ଓ ଛୋଟଛୋଟ ସମସ୍ୟା ରହିଛି ତାହାର ସମାଧାନ ଆଗାମୀ ସପ୍ତାହେ ଭିତରେ ହେବ ଓ ଏଥିପାଇଁ ଜିଲ୍ଲାପାଳଙ୍କୁ ସେ ନିର୍ଦେଶ ଦେଇଥିବା କହିଛନ୍ତି।

ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସେ କରିଥିବା ଆଲୋଚନା ପ୍ରସଙ୍ଗରେ କହିଥିଲେ, ଡବ୍ଲୁଓଡିସି ପୂର୍ବରୁ ଯାହା ପ୍ରକଳ୍ପ ମଂଜୁର ହୋଇଛି କେଉଁ କାମ କେତେଦୂର ଅଗ୍ରଗତି ହୋଇଛି ତାହାର ସମୀକ୍ଷା କରାଯାଇଛି। ଯେଉଁ କାମ ଆରମ୍ଭ ହୋଇନି ତାହା କିଭଳି ଶୀଘ୍ର ଆରମ୍ଭ ହୋଇ ସରିବ ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ତାଙ୍କ ସମୟରେ ଡବ୍ଲୁଓଡିସି ଫଣ୍ଡ ଉଚିତ କାର୍ଯ୍ୟରେ ହିଁ ବିନିଯୋଗ ହେବ। କୌଣସି ଯୋଜନାରେ ଯେଉଁ କାମ ହୋଇପାରୁନଥିବ ଓ ଦରକାର ଥିବ ସେଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଡବ୍ଲୁଓଡିସି କାର୍ଯ୍ୟ କରିବ। ଆଉ ଏକ ନୂଆ ଆଲୋଚନା ହୋଇଛି। ଶିକ୍ଷିତ ଯୁବକ ଯେଉଁମାନେ ନିଜେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଥିବେ ସେମାନଙ୍କୁ କେମିତି ସୁଯୋଗ ଦିଆଯାଇ ପାରିବ ସେ ଦିଗରେ ପଦକ୍ଷେପ ସବୁ ନିଆଯିବ। ଇନଭେଷ୍ଟର ମିଟ ପଶ୍ଚିମ ଓଡ଼ିଶାରେ କରାଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ଡବ୍ଲୁଓଡିସି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଅପରାହ୍ନରେ ବଲାଙ୍ଗୀର ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିକାଶ ପରିଷଦର ପ୍ରକଳ୍ପର ଅଗ୍ରଗତିକୁ ନେଇ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନିତିନ କୁଶଳକରଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରର ଅଧିକାରୀମାନେ ଯୋଗଦେଇଥିଲେ। ଡବ୍ଲୁଓଡିସି ଅଧ୍ୟକ୍ଷଙ୍କୁ ବଲାଙ୍ଗୀରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାକ୍ଷାତ କରି ସ୍ୱାଗତ ଜଣାଇବା ସହ ଏଠାକାର ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ଲୋୟର ସୁକତେଲ ବୁଡ଼ି ଅଂଚଳରୁ ଆସିଥିବା କେତେ ଜଣ ବ୍ୟକ୍ତି ମଧ୍ୟ ଶ୍ରୀ ତ୍ରିପାଠୀଙ୍କୁ ସାକ୍ଷାତ କରି ନିଜ ନିଜ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର