କଳାହାଣ୍ଡିରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ

ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ, ଧର୍ମଗଡ଼ରେ ଆହାର ରୋଷେଇ କେନ୍ଦ୍ରର ଉଦ୍‌ଘାଟନ କଲେ

ଭବାନୀପାଟଣା/ଧର୍ମଗଡ଼ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର, ମୁଖିଗୁଡ଼ା, ଧର୍ମଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି, କୃଷି, ପଶୁ ସମ୍ପଦ, ଉଦ୍ୟାନ, ମତ୍ସ୍ୟ, ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିଲେ।

ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର , ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡି, ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ, ଡବ୍ଲୁଓଡିସି ଟେକନିକାଲ ପରାମର୍ଶଦାତା ସୁନୀଲ ନାୟକ, ଡି.ଡି. ପ୍ଲାନିଂ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଭବାନୀପାଟଣା ସହରର ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଓ ବିମଳା କନଭେଣ୍ଟ ନିକଟସ୍ଥ ପୋଖରୀର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ, ଜାଖମ ଇକୋ ଟୁରିଷ୍ଟ କଂପ୍ଲେକ୍ସ, କାନିଗୁମା କଫି ପ୍ଲାଣ୍ଟେସନ, ଥୁଆମୂଳ ରାମପୁର କଫି ନର୍ସରୀ ପରିଦର୍ଶନ ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ। ଥୁଆମୂଳ ରାମପୁରସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କାର୍ଯ୍ୟ ଅଗ୍ରଗତି, ବିକାଶ ଓ ଏହାର ଅଧିକ ପରିସୀମା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ। ଥୂଆମୂଳ ରାମପୁରର ପର୍ଯ୍ୟଟନ କେନ୍ଦ୍ର ‘ହେଲୋ ପଏଣ୍ଟ’ ସହ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ସେହିଭଳି ଧର୍ମଗଡ଼ ସ୍ଥିତ ଟାଉନ ହଲର ପୁନରୁଦ୍ଧାର କାର୍ଯ୍ୟ, ସିଆଲିକାନି କଟା ବନ୍ଧ ପରିଦର୍ଶନ ସହ ଧର୍ମଗଡ଼ ଆହାର ରୋଷେଇ କେନ୍ଦ୍ର ଉଦ୍‌ଘାଟନ କରିଥିଲେ।

ଧର୍ମଗଡ଼ ଗସ୍ତ ସମୟରେ ବିଧାୟକ ମୌଷଧି ବାଗ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ଉପଜିଲ୍ଲାପାଳ ବେଦ ଭୂଷଣ, ବିଡିଓ ଶରତ ଚନ୍ଦ୍ର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଏନ୍‌ଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାଏକ, ପୂର୍ବ ଅଧ୍ୟକ୍ଷା ହୀରା ବାଗ, ଜିଲ୍ଲା ବିଜେଡି ଉପସଭାପତି ଥବିର ପ୍ରସାଦ ସାହୁ, ବିବେକ ରଞ୍ଜନ ମିଶ୍ର, ସ୍ୱାଧୀନ ବାଗଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ପରେ ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ବାଗଡ଼ିସାର ପୋଲ କାର୍ଯ୍ୟ ପରିଦର୍ଶନ କରିଥିଲେ। ଏହି ସମୟରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଭବାନୀପାଟଣା ସହର ନିକଟ ଭଟାଙ୍ଗପଦର ଇକୋ ଟୁରିଜମ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସିଡିଓ ଜିଲ୍ଲା ପରିଷଦ ସଚିନ ପାୱାର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର