ରାଇରଙ୍ଗପୁର:ଲକ୍ଷ୍ମୀ ବସ୍ ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ଆରମ୍ବ କରିଥିଲେ। ତେବେ ଗତ ସାଧାରଣ ନିର୍ବାଚନ ପରେ ବିଜେପି ଦଳ ଓଡିଶାରେ ସରକାର ଗଠନ କରିବାକୁ ଯାଉଛି। ତେବେ ବିଜେଡି ସରକାର ଆରମ୍ଭ କରିଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ବର୍ତମାନ ବନ୍ଦ ହୋଇଯିବ ବୋଲି ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ଏନେଇ ଜନସାଧାରଣ ଚିନ୍ତାରେ ଅଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରତ୍ୟେକ ପଂଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ବସ୍ ଚାଲିଛି। ସେଥିରେ ଛାତ୍ରଛାତ୍ରୀ, ମହିଳା ଓ ପୁରୁଷ ମାନେ ସ୍ୱଳ୍ପ ଭୋଡାରେ ଯିବା ଆସିବା କରୁଛନ୍ତି। ତେବେ ଆଜି ସକାଳୁ ଲକ୍ଷ୍ମୀ ବସରେ ଦେଖିବାକୁ ମିଳୁଛି ଯେ ବସ୍‌ରେ ପୂର୍ବରୁ ଲାଗିଥିବା ଲକ୍ଷ୍ମୀ ଓ ମିସନ ଶକ୍ତି ଷ୍ଟିକର୍ ହଟାଇ ଦିଆଯାଇଛି। ରାଇରଙ୍ଗପୁର ବ୍ଲକ୍ ପରିସରରେ ବିଭିନ୍ନ ବ୍ଲକରେ ଚଳାଚଳ କରୁଥିବା ବସ୍ ଗୁଡିକୁ ରାତ୍ରୀରେ ରଖାଯାଇଥାଏ। ଗତ ରାତ୍ରିରେ ମଧ୍ୟ ବସ୍‌ର କର୍ମଚାରୀମାନେ ବସ୍ ରଖି ଘରକୁ ଯାଇଥିଲେ। ଆଜି ସକାଳୁ ବସ୍ ପାଖକୁ ଆସିବା ପରେ ଦେଖିଲେ ଯେ ସେଠାରେ ଥିବା ସମସ୍ତ ବସ୍ରୁ ଷ୍ଟିକର୍ ହଟାଇ ଦିଆଯାଇଛି।

ଏ ସମ୍ବନ୍ଧରେ ବସର କର୍ମଚାରୀମାନଙ୍କ ପାଖରେ କୌଣସି ସୂଚନା ନଥିବା ପ୍ରକାଶ କରିଛନ୍ତି। ବସ୍ ରଖିବା ସ୍ଥାନରେ ଛିଣ୍ଡା ଯାଇଥିବା ଷ୍ଟିକର୍, ବାଲି କାଗଜ ଓ କିଛି କ୍ୟାମିକାଲ ପଡ଼ିଥିବାର ନଜର ଆସିଛି। ତେବେ କାହା ନିର୍ଦ୍ଦେଶରେ ଏବଂ କିଏ ଷ୍ଟିକର୍ ହଟାଇଲା କାହା ପାଖରେ ସୂଚନା ନାହିଁ। ଲକ୍ଷ୍ମୀ ବସର ସୁପରଭାଇଜର୍ ଭବାନୀ ବେହେରାଙ୍କୁ ପଚାରିବାରୁ ସେ ମଧ୍ୟ କିଛି ଜାଣିନାହାଁନ୍ତି ବୋଲି କହିଲେ। ରାଇରଙ୍ଗପୁର ବ୍ଲକର ଳକ୍ଷ୍ମୀ ବସ୍ ସୁରଭାଇଜରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଏ ସମ୍ବନ୍ଧରେ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ଏପଟେ ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇଦିନ ପରେ ଲକ୍ଷ୍ମୀ ବସରୁ ଷ୍ଟିକର୍ ବାହାର କରିଦିଆଯିବା ଘଟନାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି।