ଅନୁଗୁଳ/ବନ୍ତଳା: ଜାଗର ରାତି ହେଲା ଶେଷରାତି। ଗତକାଲି ଜାଗରଯାତ୍ରା ଦେଖି ଫେରୁଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ୨ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତର କୁଲାସିଂହା ଗାଁରେ ମୃତାହତଙ୍କ ଘର। ମୃତକମାନେ ହେଲେ, ପୀତାମ୍ବର ପଧାନ(୪୨), ଗୁଣ୍ଡିଚା ପଧାନ (୭୦) ଓ ଅଟୋ ଚାଳକ ମୁନା ପଧାନ (୩୨)। ଗତକାଲି ଅପରାହ୍ନ ପ୍ରାୟ ୪ଟାବେଳେ ପୀତାମ୍ବର ପଧାନ ତାଙ୍କ ଝିଅକୁ ଛାଡ଼ିବା ପାଇଁ ଏକ ଅଟୋ(ଓଡି-୧୯-ଇ-୬୦୨୩)ରେ ନୂଆ ରାଇଗୁଡ଼ା ଯାଇଥିଲେ। ସାଙ୍ଗରେ ଥିଲେ ପତ୍ନୀ ଜମ୍ବୁ ପଧାନ, ଝିଅ ଶୁଭଶ୍ରୀ ଓ ସଂପର୍କୀୟ ଦାଦା ଗୁଣ୍ଡିଚା ପଧାନ। ସେମାନେ ଝିଅକୁ ଛାଡ଼ି ବିଳମ୍ବିତ ରାତିରେ ଘରକୁ ଫେରୁଥିଲା ବେଳେ ବାଟରେ ଜାଗରଯାତ୍ରା ମଧ୍ୟ ଦେଖିଥିଲେ।
ସେଠାରୁ ଘରକୁ ଫେରିବା ବାଟରେ ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଶଙ୍ଖପୁର ନିକଟସ୍ଥ ଖାଲଗାଁ ମୋଡ଼ ନିକଟରେ ଅଟୋକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ରାସ୍ତାକଡ଼କୁ ଗଳି ପଡ଼ିଥିଲା। ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବାରୁ ହଠାତ୍ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନ ଥିଲା। ପରେ ସ୍ଥାନୀୟ ଲୋକେ ଓ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ପୀତାମ୍ବର ପଧାନ ଓ ଗୁଣ୍ଡିଚା ପଧାନଙ୍କ ମୃତ୍ୟୁ ହୋଇସାରିଥିଲା। ଅଟୋ ଚାଳକ ମୁନା ପଧାନ ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ଗୋଟିଏ ଗାଁରୁ ୩ ଜଣଙ୍କ ଜୀବନ ଚାଲିଥିବା ପରେ ବନ୍ତଳା ଓ ଶରଧାପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନୁଗୁଳ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ କୁଲାସିଂହାରେ ୩ ଜଣଙ୍କର ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଛି। ପରେ ୩ ଜଣଙ୍କର ଶେଷକୃତ୍ୟ ଗୋଟିଏ ସ୍ଥାନରେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।