ବଲାଙ୍ଗୀର: ବିବାହକୁ ପ୍ରାୟ ଦଶ ବର୍ଷ ପୁରିଛି। ୮ ବର୍ଷର ଗୋଟିଏ ଝିଅ ଅଛି। କିନ୍ତୁ ସ୍ୱାମୀ ଦ୍ବିତୀୟ ବିବାହ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି। ସ୍ବାମୀଙ୍କ ସହିତ ବିବାଦ ଯୋଗୁଁ ମହିଳା ଜଣକ ତାଙ୍କ ବାପ ଘରେ ଗତ ଏପ୍ରିଲ ମାସରୁ ରହୁଥିବା ବେଳେ ଆଜି ଶାଶୁଘରକୁ ଆସି ଘରକୁ ପଶିବାକୁ ଉଦ୍ୟମ କରିବା ବେଳେ ଶାଶୁଘର ଲୋକ ତାଙ୍କୁ ବାରଣ କରିବାରୁ ମହିଳା ଜଣକ ତାଙ୍କ ଶାଶୂ ଘର ଆଗରେ ଧାରଣାରେ ବସିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଧାରଣା ଦେଇଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗ୍ରାମର ମଦନ ମୋହନ ମେହେରଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହର ବର୍ଷେ ପରେ ଗୋଟିଏ ଝିଅ ମଧ୍ୟ ହୋଇଥିଲା। ସବୁ କିଛି ଠିକ ଚାଲିଥିଲା। କିନ୍ତୁ ଗତ ଏପ୍ରିଲ ମାସରେ କୌଣସି କାରଣରୁ ପାରିବାରିକ କଳହ ହେଲା। ସେଦିନଠୁଁ ସ୍ତ୍ରୀ ନିଜ ଝିଅକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ସେ ବାଡ ଡେଇଁ ଶାଶୂ ଘର ଭିତରକୁ ଆସି ଦେଖିବା ବେଳେ ଜଣେ ମହିଳା ଘର ଭିତରେ ଥିଲେ। ମହିଳା ଏନେଇ ସଦର ଥାନାରେ ଗତ ସେପ୍ଟେମ୍ବର ୧୮ରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ମଦନ ଥାନା ଅଧିକାରୀଙ୍କ ସାମନାରେ ସେ କୌଣସି ବିବାହ କରି ନାହିଁ ବୋଲି କହିଥିଲେ। ପରବର୍ତ୍ତି ସମୟରେ ସ୍ୱାମୀ ମଦନ ତାଙ୍କୁ ନଜଣାଇ ସେହି ମହିଳା ବାହା ହୋଇଥିବା ଜାଣିବା ପରେ ସେ ଆଜି ଗାଁକୁ ଆସି ତାଙ୍କ ଶାଶୂ ଘରକୁ ପଶିବାକୁ ଉଦ୍ୟମ କଲାବେଳେ ତାଙ୍କୁ କବାଟ ବନ୍ଦ କରି ଦିଆଯାଇଥିବା ସେ କହିଛନ୍ତି। ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇନଥିବା ବେଳେ ସେ କିଭଳି ଦ୍ବିତୀୟ ବିବାହ କଲେ ବୋଲି ମହିଳା ପ୍ରଶ୍ନ କରିଛନ୍ତି। ତାଙ୍କର ହକ୍ ପାଇଁ ଶାଶୂ ଘର ଆଗରେ ଧାରଣ ଜାରି ରଖିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଉକ୍ତ ମହିଳା ଦାବି କରିଛନ୍ତି।