ଟ୍ରେନ୍‌ଲାଇନ୍‌ରେ ଏମିତି ଆସିଲା ମୃତ୍ୟୁ : ମହିଳାଙ୍କ ବଞ୍ଚାଇବା ଉଦ୍ୟମ ବ୍ୟର୍ଥ, ନିଜେ ଗଲେ, ଶିଶୁର ପ୍ରାଣ ବି ଗଲା

ଝାରସୁଗୁଡ଼ା/ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନୂଆପଡ଼ା ଠାରେ ୫ ବର୍ଷର ଶିଶୁ ନିଖିଲ ଗୁପ୍ତା (୫) ଟ୍ରେନ୍‌ ଲାଇନରେ ଖେଳୁଥିବା ବେଳେ ହାଓ୍ଵଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଇଛି। ତା’କୁ ବଞ୍ଚାଇବାକୁ ଯାଇ ଜଣେ ସଂପର୍କୀୟ ମହିଳା ବେବି ଗୁପ୍ତାଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିିଛି। ଏହି ଘଟଣା ବେଲପାହାଡ଼ ସହରକୁ ସ୍ତବ୍‌ଧ କରି ଦେଇଛି।

ଶୁକ୍ରବାର ଦିନ ବେଲପାହାଡ଼ ଗୁମାଡ଼େରା ମନ୍ଦିରରେ ଗୁରୁବାର ଲାଲଜୀ ଗୁପ୍ତା ଓ ବେବି ଗୁପ୍ତା (୩୭)ଙ୍କ ଏକ ପାରିବାରିକ ଉତ୍ସବ ଥିଲା। ସଂପର୍କୀୟ ଭଉଣୀ ଓ ଭିଣୋଇ ଧନଞ୍ଜୟ ଗୁପ୍ତା ବ୍ରଜରାଜନଗର ଗାୟତ୍ରୀ ନଗରରୁ ସେଠାକୁ ଯାଇଥିଲେ। ଧନଞ୍ଜୟଙ୍କ ଶିଶୁପୁତ୍ର ନିଖିଲ ଖେଳୁଥିବା ବେଳେ ପାଖରେ ଥିବା ଟ୍ରେନ୍‌ ଲାଇନ ଉପରକୁ ଚାଲି ଆସିଥିଲା। ଏହି ସମୟରେ ସେହି ଟ୍ରାକ୍‌ରେ ହାଓ୍ଵାଡ଼ା-ଅହମ୍ମଦାବାଦ ଟ୍ରେନ୍‌ ଆସୁଥିବା ଦେଖି ଲାଲଜୀଙ୍କ ସ୍ତ୍ରୀ ବେବି ଗୁପ୍ତା ଦୌଡ଼ି ଦୌଡ଼ି ଯାଇ ଭଣଜାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ନିଖିଳକୁ ଠେଲି ଦେଇଥିଲେ। ହେଲେ, ସେ ନିଜେ ଟ୍ରେନ୍‌ ଧକ୍କାରେ ଘୋଷାଡ଼ି ହୋଇ ପଡ଼ିଥିଲେ। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ନିଖିଳର ଟିଆର୍‌ଏଲ୍‌ ହସପିଟାଲରେ ମୃତ୍ୟୁ ଘଟିଛି। ଜିଆର୍‌ପି ଏସଆଇ ପୁରୁଷୋତ୍ତମ ପଟେଲ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାଟି ଆନନ୍ଦ ଉତ୍ସାହରେ ଥିବା ଗୁପ୍ତା ପରିବାରକୁ ଶୋକରେ ବୁଡ଼ାଇ ଦେଇଛି।

ସମ୍ବନ୍ଧିତ ଖବର