ବିନିକା: ସରକାର ମା’ ଓ ଶିଶୁମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଚିକିତ୍ସାରେ ବ୍ୟାପକ ଅସୁବିଧା ପାଇଁ ଅନେକଙ୍କ ଜୀବନ ଚାଲିଯାଉଛି। ବୁର୍ଲା ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରସୂତୀ ମହିଳା ଓ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ହେଲେ ଦୀପ୍ତି ପେରା (୨୫)। ମହିଳା ଓ ତାଙ୍କ ନବଜାତଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତର ମଣିଗା ଗାମର ବିକ୍ରମ ପେରାଙ୍କ ସ୍ତ୍ରୀ ଦୀପ୍ତି ପେରାଙ୍କ ପ୍ରସବଜନିତ ଯନ୍ତ୍ରଣା ହେବାରୁ ଗତ ୮ ତାରିଖ ଦିନ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପରେ ସୋନପୁରସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ପୁଣି ମହିଳାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ମହିଳାଙ୍କୁ ଶୁକ୍ରବାର ଦିନ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ଦୀପ୍ତି ଏକ ସନ୍ତାନ ଜନ୍ମ ଦେଇଥିଲେ। ମାତ୍ର ଶିଶୁଟିର ମୃତ୍ୟୁ ପରେ ଦୀପ୍ତି ମଧ୍ୟ ଜୀବନ ହାରିଥିଲେ।

ବିନିକା ସିଡିପିଓ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ପ୍ରସବ ପାଇଁ ନିର୍ଦ୍ଧାରିତ ତାରିଖ ମାର୍ଚ୍ଚ ୧୪ ଥିଲା। କିନ୍ତୁ ଏହାର ଏକମାସରୁ ଅଧିକ ସମୟ ପୁର୍ବରୁ ପିଲା ଜନ୍ମ ହୋଇଥିଲା। ଦୀପ୍ତିଙ୍କର ରକ୍ତ ମଧ୍ୟ କମ ରହୁଥିବା ତାକୁ ୨ଟି ଆଇରନ ବଟିକା ଦିଆଯାଉଥିଲା। ବର୍ତ୍ତମାନ ମୃତକ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ।