ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳା ଓ ଶିଶୁପୁତ୍ରର ଜୀବନ; ଦୁର୍ଘଟଣା ନା ଆତ୍ମହତ୍ୟା‌?

ବାଲେଶ୍ବର/ରୁପ୍‌ସା/ବସ୍ତା-୨ : ଦେଖୁ‌ ଦେଖୁ ଲୋକଙ୍କ ଆଖି ଆଗରେ ଚାଲିଗଲା ଜଣେ ମହିଳା ଓ ଦୁଇ ବର୍ଷ ଶିଶୁପୁତ୍ରର ଜୀବନ। କ୍ଷଣିକ ମଧ୍ୟରେ ରେଳ ଧାରଣାରେ କଟିଗଲେ ମା, ପୁଅ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ପଳାସିଆ ରେଳଧାରଣାରେ ଘଟିଛି ଏହି ହୃଦୟବିଦାରକ ଘଟଣା। ମୃତ ମହିଳା ଜଣଙ୍କ ହେଲେ ପଳାସିଆ ଅଞ୍ଚଳର ରୀତାରାଣୀ ସେନାପତି (୩୦) ଏବଂ ତାଙ୍କର ୨ ବର୍ଷର ଶିଶୁପୁତ୍ର। ବାଲେଶ୍ବର ଜିଆର୍‌ପି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

ତିନିବର୍ଷ ତଳେ ରୀତାରାଣୀ ଦୁଧହଂସା ଅଞ୍ଚଳର ନାଗେଶ ସେନାପତିଙ୍କୁ ବିବାହ କରିଥିଲେ। ବାତ୍ୟା ‘ୟାସ୍‌ ପାଇଁ ରୀତାରାଣୀ ଗତ ଶନିବାର ଦିନ ସ୍ବାମୀ ଓ ପୁଅ ସହିତ ପଳାସିଆସ୍ଥିତ ତାଙ୍କ ବାପଘରକୁ ଚାଲିଆସିଥିଲେ। ଆଉ ଏହି ସମୟରେ ପୁଅକୁ ଜ୍ବର ହେବାରୁ ନିକଟରେ ଥିବା ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସା କରାଉଥିଲେ। ଆଜି ସକାଳ ୯ଟାରେ ପୁଅକୁ ଇଞ୍ଜେକ୍ସନ୍‌ ଦେବା ପରେ ରେଳଧାରଣା ଦେଇ ଘରକୁ ଫେରୁଥିବା ବେଳେ ଟ୍ରେନ ନଂ-୦୮୬୪୬ ଧକ୍କାରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଅନ୍ୟପଟେ ପୁଅକୁ ଧରି ରୀତାରାଣୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବ‌େ ଏହା ଆତ୍ମହତ୍ୟା ନା ଦୁର୍ଘଟଣା, ତାହା ଏବେ ବି ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ଟ୍ରେନ୍‌ ଚାଳକଙ୍କଠାରୁ ରିପୋର୍ଟ ଆସିବା ପରେ ଯାଇ ଘଟଣା ଉପରୁ ରହସ୍ୟ ହଟିବ ବୋଲି ଜିଆର୍‌ପି ଥାନା ପୁଲିସ କହିଛି। ଏ ନେଇ କେସ୍ ନଂ ୨୬/୨୧ରେ ଏକ ଅପମୃତ୍ୟୁ ମାମଲା ରଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର