ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡ଼ାପାଳ ଗ୍ରାମରେ ଜଣେ ୱାରେଣ୍ଟିକୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ ମାଝୀ ଆହତ ହୋଇଛନ୍ତି। ଅଭିଯୁକ୍ତର ମା’ ଶ୍ରୀ ମାଝୀଙ୍କୁ କାମୁଡ଼ିବା ସହ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପୁଲିସକୁ ଆକ୍ରମଣ ବେଳେ ଅଭିଯୁକ୍ତ ପ୍ରଦୋଷ ବରାଳ ଖସିଯାଇଛି। ଅନ୍ୟପକ୍ଷରେ ପୁଲିସ ଏକ ମାମଲା ରୁଜୁ କରି ପ୍ରଦୋଷର ମା’ ଛବିଲତା ବରାଳକୁ ଗିରଫ କରି କୋର୍ଟଚାଲାଣ କରିଛି।
ପ୍ରଦୋଷ ନାମରେ ଏକାଧିକ ମାମଲା ରହିଛି। ୨୦୨୨ ମାର୍ଚ୍ଚ ୨୪ରେ ବାତୋରେ ଦୋଳ ମେଲଣ ଚାଲିଥିବା ବେଳେ ପ୍ରଦୋଷ ସେଠାକାର ଯୁବକ ସମ୍ବିତ କୁମାର ସାହୁଙ୍କୁ ଆକ୍ରମଣ କରିଥିଲା।
ଏନେଇ ରାମଚନ୍ଦ୍ରପୁର ଥାନାରେ କେସ୍ ନମ୍ବର ୬୪/୨୦୨୨ରେ ଏକ ମାମଲା ରୁଜୁ ହୋଇଥିଲା।ଗିରଫ ଭୟରେ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଥିଲା। ଗତ ସପ୍ତାହରେ ସେ ଘରକୁ ଫେରିଥିଲା। ତିନିଦିନ ତଳେ ଗୋଡ଼ିଉପର ଗ୍ରାମର ଜଣେ ଯୁବକଙ୍କୁ ପ୍ରଦୋଷ ମାଡ଼ ମାରିଥିଲା। ସେ ଗାଁକୁ ଆସିଥିବା ଖବର ପାଇ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ ମାଝୀଙ୍କ ନେତୃତ୍ବରେ ଏକ ଟିମ୍ ତାକୁ ଧରିବାପାଇଁ ଯାଇଥିଲେ। ଦିନ ପ୍ରାୟ ୧୧ଟାବେଳେ ପ୍ରଦୋଷକୁ ପୁଲିସ ଟିମ୍ କାବୁ କରିଥିଲା। ଏହି ସମୟରେ ତାଙ୍କ ମା’ ଶାନ୍ତିଲତା, ଭଉଣୀ ଓ ଅନ୍ୟମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏସ୍ଆଇ ସୁରେଶ ମାଝୀଙ୍କୁ ଛବିଲତା କାମୁଡ଼ି ଦେବାରୁ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ପୁଲିସ ଉପରେ ଆକ୍ରମଣ ସମୟରେ ଅଭିଯୁକ୍ତ ପ୍ରଦୋଷ ସେଠାରୁ ଖସିଯାଇଛି। ଶ୍ରୀ ମାଝୀଙ୍କ ଏତଲା ଆଧାରରେ ପୁଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ଛବିଲତାକୁ ଗିରଫ କରିଥିବା ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest.jpg)