ଚେକ୍ ବାଉନସ୍ ମାମଲାରେ ଜେଲ ଦଣ୍ଡାଦେଶ: ଫେରାର ମହିଳା ୩ ମାସ ପରେ ଗିରଫ

ସୁନ୍ଦରଗଡ଼: ଏକ ଚର୍ଚ୍ଚିତ ସାଢ଼େ ୩ ଲକ୍ଷ ଟଙ୍କା ଚେକ୍ ବାଉନ୍ସ ମାମଲାରେ ଟାଙ୍ଗରପାଲି ବ୍ଲକ୍ ଯୋଗୀମାଲ ଗାଁର ତାରାକାନ୍ତି ପଟେଲ ନାମ୍ନି ମହିଳାଙ୍କୁ ଶୁକ୍ରବାର ସକାଳୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୪ରେ ମାମଲାରେ ସୁନ୍ଦରଗଡ଼ ଏସଡିଜେଏମ୍ କୋର୍ଟ ତାରାକାନ୍ତିକୁ ଦୋଷୀ ସାବ୍ୟସ୍ତ କରି ବର୍ଷେ ଜେଲ୍ ଓ ୩.୫୦ ଲକ୍ଷ ଟଙ୍କା ଫେରସ୍ତ ଆଦେଶ କରିଥିଲେ। ଏପରିକି ରାୟ ବିରୋଧରେ ମହିଳାଙ୍କ ଆବେଦନ ଉପରେ ଜିଲ୍ଲା କୋର୍ଟ ବିଚାର କରି ୨୦୨୨ ଅଗଷ୍ଟ ୮ ତାରିଖରେ ଏସଡିଜେଏମ୍ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ ରଖିବା ପରେ ସେ ଏହା ବିରୋଧରେ ହାଇକୋର୍ଟରେ ଅପିଲ୍ କରି ନଥିଲେ କି କୋର୍ଟରେ ଆତ୍ମ ସମର୍ପଣ କରି ନଥିଲେ।

ଏହା ପରେ କୋର୍ଟ ଶ୍ରୀମତୀ ପଟେଲଙ୍କ ନାମରେ ଗିରଫ ପରୱାନା ଜାରି କରିଥିଲେ। କିନ୍ତୁ ପୁଲିସ ତାକୁ କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଶେଷକୁ ଦଣ୍ଡାଦେଶର ୩ ମାସ ପରେ ମହିଳାଙ୍କୁ ଗିରଫ କରିଛି ପୁଲିସ। ମାମଲା ଅନୁସାରେ, ତାରାକାନ୍ତି ୨୦୦୩ରେ ରାଉରକେଲା କୋଏଲ ନଗର ଡି-୩୯୪ର ବାସିନ୍ଦା ନୀଳାଦ୍ରି ଦାଶଙ୍କ ଠାରୁ ଧାର ସୂତ୍ରରେ ୩ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ବର୍ଷେ ବିତିଯିବା ପରେ ବି ଟଙ୍କା ନଫେରାଇବାରୁ ଶ୍ରୀ ଦାଶ ତାଙ୍କୁ ତାଗିଦ କରିଥିଲେ।

ଏହା ପରେ ତାରାକାନ୍ତି ୨୦୦୫ରେ ୧ ଲକ୍ଷ ଲେଖାଏଁର ୩ଟି ଚେକ୍ ଶ୍ରୀ ଦାଶଙ୍କୁ ଦେଇଥିଲେ। କିନ୍ତୁ ବ୍ୟାଙ୍କରେ ଜମା କରିବା ପରେ ଚେକଟି ବାଉନ୍ସ ହୋଇଯାଇଥିଲା। ଏ କଥା ତାରାକାନ୍ତିଙ୍କୁ କହିବା ପରେ ବି ସେ ନଶୁଣିବାରୁ ଶ୍ରୀ ଦାଶ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟରେ ମାମଲା ରୁଜୁ ହେବାରୁ ଗିରଫ ଭୟରେ ୨୦୦୭ରୁ ମହିଳା ଫେରାର ହୋଇଯାଇଥିଲେ। ୨୦୧୪ ଜୁଲାଇ ୨୬ରେ ଏସଡିଜେଏମ କୋର୍ଟ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏଥିରେ ସେ ଜାମିନରେ ଯାଇ ରାୟ ବିରୋଧରେ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଜିଲ୍ଲା କୋର୍ଟ ୨୦୧୪ ମସିହାର ରାୟକୁ କାଏମ ରଖିଥିଲେ।

ସମ୍ବନ୍ଧିତ ଖବର