ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ରଘୁପତିନଗରରେ ଜଣେ ମହିଳାଙ୍କୁ ରକ୍ତାକ୍ତ ଆକ୍ରମଣ ହୋଇଛି। ମହିଳାଙ୍କ ଘରେ ପଶି ଯୁବକ ଜଣକ କାତିରେ ଚୋଟ ପକାଇଛନ୍ତି। ଆକ୍ରମଣରେ ମାଧୁରୀ ପଣ୍ଡା(୩୭) ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଏମ୍କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଯୁବକ ଶୁଭମ୍ ସାହୁକୁ ଅଟକ ରଖିଥିବା ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ଏହା ସହ ପୁଲିସ ଘଟଣାରେ ବ୍ୟବହୃତ ହୋଇଥିବା କାତି ଜବତ କରିଛି।
ସୂଚନା ଅନୁସାରେ ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରେଡ୍ଡିକା ସାହିର ମାଧୁରୀଙ୍କୁ ଲିଙ୍ଗରାଜ ପଣ୍ଡା ବାହା ହୋଇଛନ୍ତି। ଲିଙ୍ଗରାଜ ତାଙ୍କର ପତ୍ନୀ ଓ ଦୁଇଝିଅଙ୍କୁ ନେଇ ରଘୁପତିନଗର ତୃତୀୟ ଲାଇନ୍ରେ ରହୁଛନ୍ତି। ଆଜି ସଂଧ୍ୟାରେ ମାଧୁରୀ ଦୁଇ ଝିଅଙ୍କୁ ସାହିର ସ୍ମୃତି ସାହୁଙ୍କ ଘରକୁ ଟ୍ୟୁସନ୍ ପାଇଁ ନେଇଥିଲେ। ଉପର ମହଲା ସିଡ଼ି ଘରେ ମାଧୁରୀ ଝିଅମାନଙ୍କ ଆସିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଯୁବକ ହଠାତ ଘର ଭିତରକୁ ପଶି ମାଧୁରୀଙ୍କ ଉପରେ କାତି ଚୋଟ ପକାଇଥିଲା। ମାଧୁରୀ ଚିତ୍କାର କରିବାରୁ ସ୍ମୃତିଙ୍କ ବଡ଼ ଭଉଣୀ ଝିଲି ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଯୁବକ ଜଣକ ମାଧୁରୀଙ୍କୁ ହାଣି ରକ୍ତାକ୍ତ କରି ଦେଇଥିଲେ। ଝିଲି ଯୁବକଙ୍କୁ ପ୍ରତିରୋଧ କରିବା ବେଳେ ତାଙ୍କ ହାତରେ ମଧ୍ୟ କାତି ଚୋଟ ପଡ଼ିଛି। ଘଟଣା ପରେ ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲା।
ଘଟଣା ପ୍ରଚାରିତ ହେବା ପରେ ଆଖପାଖର ଲୋକେ ରୁଣ୍ଡ ହୋଇ ଯାଇଥିଲେ। ନିକଟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ଜନପ୍ରତିନିଧି ଓ ଯୁବନେତା ସେଠାରେ ପହଞ୍ଚି ଗୁରୁତର ମାଧୁରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ନିମନ୍ତେ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ମାଧୁରୀଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଟି କାତି ଚୋଟ ପଡ଼ିଛି। ପୁଲିସ ଏହି ଘଟଣାରେ କାଳୁପାତ୍ର ସାହିର ଅଭିଯୁକ୍ତ ଯୁବକ ଶୁଭମକୁ ଅଟକ ରଖିଛି। ମହିଳାଙ୍କୁ କାହିଁକ ଏଭଳି ଆକ୍ରମଣ କରାଗଲା ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।