ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଜଙ୍ଗଲକୁ ଟାଣି ନେଇ ଆକ୍ରମଣ

ଗଞ୍ଜାମ: ପ୍ରଶାସନ ଓ ପୁଲିସର ସଚେତନତା ସତ୍ତ୍ବେ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ିକୁ ନେଇ ହିଂସା ଓ ଆକ୍ରମଣ ଥମିବା ନାଁ ନେଉନି। ଅନ୍ଧବିଶ୍ବାସ ଯେମିତି ସମସ୍ତଙ୍କୁ କବଳିତ କରି ରଖିଛି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଇଲାକାରେ। ଗୁଣିଗାରେଡ଼ି ସନ୍ଦେହରେ ଏହି ଥାନା ଅଧୀନ ଜଟିଆଖୋଲ ଗ୍ରାମର ଜଣେ ମହିଳାଙ୍କୁ କିଛି ଗ୍ରାମବାସୀ ଜଙ୍ଗଲକୁ ଟାଣି ନେଇ ମରଣାନ୍ତକ ଆକ୍ରମଣ କରିଛନ୍ତି।

ସୂଚନା ପ୍ରକାରେ, ଦୁଇଦିନ ତଳେ ଗ୍ରାମର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକଙ୍କ ପରିବାର ସମେତ କିଛି ଗ୍ରାମବାସୀ ଏହାକୁ ଗୁଣିଗାରେଡ଼ି ବୋଲି ସନ୍ଦେହ କରି ମହିଳାଙ୍କ ଘର ଭିତରେ ଗତକାଲି ରାତି ୧୧ଟା‌ରେ ପଶି ଜିନିଷପତ୍ର ଭଙ୍ଗାରୁଜା ସହ ତାଙ୍କୁ ନିକଟ ଜଙ୍ଗଲକୁ ଟାଣି ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଖବର ପାଇ ରମ୍ଭା ଥାନାଧିକାରୀ ପି.ସ୍ୱରୂପ କିଷାନ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ଏନେଇ ସେ ରମ୍ଭା ଥାନାରେ ଏତଲା ଦେବା ପରେ ୧୨ ଜଣଙ୍କ ନାମରେ କେସ୍ ନମ୍ବର ୫୪୮/୨୨ ଅନୁସ‌ାରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର