ଥାନା ଆଗରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଗୋପାଳପୁର: ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଆଗରେ ଜଣେ ମହିଳା କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ(୩୦) ବୋଲି ପୁଲିସ କହିଛି। ସନ୍ଧ୍ୟାରେ ମହିଳା ଜଣକ କୌଣସି କାରଣ ପାଇଁ ଥାନାକୁ ଯାଇଥିଲେ। ସେଠାରେ କାହାକୁ କିଛି ନକହି ସାଙ୍ଗରେ ଆଣିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଉପସ୍ଥିତ ପୁଲିସ କର୍ମଚାରୀ ଏହା ଦେଖି ତୁରନ୍ତ ତାଙ୍କ ଠାରୁ କୀଟନାଶକ ଔଷଧ ଛଡ଼ାଇବା ସହ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ଧାରଉଧାର ହୋଇ ବହୁଦିନ ଧରି ବାହାରକୁ ଚାଲି ଯାଇଥିଲେ। ଗତ ୮ଦିନ ତଳେ ଗ୍ରାମକୁ ଫେରି ସ୍ବାମୀ ସହ ନରହି ନିଜ ଘରେ ରହୁଥିଲେ। ସ୍ବାମୀ ଏକ ଭଡ଼ା ଘରେ ରହୁଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ବେଳକୁ ମେଡ଼ିକାଲରେ ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏସ୍‌ଆଇ ସଫିଆ ମିଶ୍ର, ଏଏସ୍‌ଆଇ ତିରୁପତି ରାଓ, ଏଏସ୍‌ଆଇ ପୁଷ୍ପା ମଲିକ, ଏସ୍‌ଆଇ ଜୟଚନ୍ଦ୍ର ମଲ୍ଲିକ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର