ସ୍ୱର୍ଗଦ୍ୱାରରେ ଜୁଇକୁ ଡେଇଁଲେ ମହିଳା : ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି, ମାସେ ତଳେ ଘରଛାଡ଼ି ଶ୍ରୀକ୍ଷେତ୍ରରେ ରହୁଥିଲେ

ପୁରୀ : ଦୀର୍ଘଦିନ ହେବ ମାନସିକ ଅଶାନ୍ତିରେ ଥିବା ଜନୈକା ମହିଳା ଆଜି ସ୍ବର୍ଗଦ୍ବାରରେ ଜଳନ୍ତା ଜୁଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ମହିଳାଙ୍କ ଶରୀରର କିଛି ଅଂଶ ବି ଜଳିଯାଇଛି। ଆଖପାଖରେ ଉପସ୍ଥିତ ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ରମା ଦାସ(୩୨) ବୋଲି ଜଣାପଡ଼ିଛି। ସେ ଏବେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ରମା ଆଜି ଅପରାହ୍ଣ ପ୍ରାୟ ଗୋଟାଏରେ ସ୍ବର୍ଗଦ୍ବାର ଭିତରେ ଚଲାବୁଲା କରୁଥିଲେ। କିଛି ସମୟ ବସିବା ପରେ ହଠାତ୍ ସ୍ବର୍ଗଦ୍ବାରରେ ଏକ ଜଳନ୍ତା ଜୁଇକୁ ଡେଇଁ ପଡ଼ିଥିଲେ। ପାଖରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ଗାଡ଼ି ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିରେ ରମାଙ୍କ ଗୋଡ଼, ହାତ ଓ ଶରୀରର ଅନ୍ୟାନ୍ୟ ସ୍ଥାନ ଜଳିଯାଇଛି। ରମାଙ୍କ କହିବା ମୁତାବକ, ପାରିବାରିକ କଳହ କାରଣରୁ ସ୍ବାମୀଙ୍କ ସହ ତାଙ୍କର ପଡ଼ିନଥିଲା। ସଦାସର୍ବଦା ଘରେ କଳହ ଲାଗି ରହୁଥିଲା। ପରେ ସ୍ବାମୀ-ସ୍ତ୍ରୀଙ୍କ ଛାଡ଼ପତ୍ର ହୋଇଯାଇଥିଲା। ସେବେଠୁ ରମା ଶାଶୂ ଘର ଛାଡ଼ି ଆସି ବାପ ଘରେ ରହୁଥିଲେ। କିନ୍ତୁ ଭାଇ-ଭାଇଙ୍କ ଭିତରେ ଅପଡ଼ ଯୋଗୁଁ ସେଠାରେ ବି ଶାନ୍ତିରେ ରହି ପାରିନଥିଲେ। ବାପା-ମା’ଙ୍କ ସହ କିଛି ଦିନ ଅଲଗା ରହିବା ପରେ ଏହି ଅଶାନ୍ତିରୁ ଦୂରେଇ ରହିବା ପାଇଁ ମାସେ ତଳେ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଶ୍ରୀ‌ମନ୍ଦିରରେ ଖାଇବା ସହ ଯେଉଁଠି ପାରୁଥିଲେ ସେଠି ରହି ଯାଉଥିଲେ। କିନ୍ତୁ ପୂର୍ବ ଅଶାନ୍ତି ମନରେ ଘାଣ୍ଟି ହେଉଥିଲା। ଚାରିଆଡ଼ୁ ଆଶ୍ରା ଖୋଜି ଖୋଜି ନିରାଶ ହେବା ପରେ ଆଜି ସ୍ବର୍ଗଦ୍ବାରରେ ଜୁଇକୁ ଡେଇଁ ମରିବାକୁ ଯାଇଥିଲେ ବୋଲି ରମା କହିଛନ୍ତି।

ସମ୍ବନ୍ଧିତ ଖବର