ବ୍ରହ୍ମପୁର : ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ଶୁକ୍ରବାର ଦିନ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଦେହରେ ପେଟ୍ରୋଲ୍ ଢାଳି ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି। ସୁରକ୍ଷା ଦାୟିତ୍ବରେ ଥିବା ଜଣେ କନେଷ୍ଟବଳ କାବୁ କରିନେବାରୁ ତାଙ୍କ ଜୀବନ ବର୍ତ୍ତିଯାଇଛି। ଏହିଭଳି ଘଟଣା ପଛର କାରଣ ଜଣାପଡ଼ିନାହିଁ। କୌଣସି ଘଟଣାକୁ କେନ୍ଦ୍ରକରି ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଜିଲ୍ଲାଜଜ୍ କୋର୍ଟ ଅଧୀନରେ ରହିଥିବା ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ପ୍ରତିଦିନ ଭଳି ଆଜି କାମ ଚାଲିଥିଲା। ଏସ୍ଡିଜେଏମ୍ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଚାଲିଥିଲା। ଠିକ୍ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସମ୍ପୃକ୍ତ ମହିଳା ହଠାତ୍ ଏସ୍ଡିଜେଏମ୍ କୋର୍ଟକୁ ଆସି ହଲ୍ ଭିତରେ ପ୍ରବେଶ କରିଥିଲେ। ଏହାପରେ ଏକ ମୃଦୁପାନୀୟ ବୋତଲରେ ରଖିଥିବା ପେଟ୍ରୋଲ୍ ନିଜ ଦେହରେ ଢାଳି ଦେଇଥିଲେ। ଏହାଦେଖି ସେଠାରେ ନିୟୋଜିତ ଥିବା କନେଷ୍ଟବଳ ରଶ୍ମିରଂଜନ ଦାସ ତୁରନ୍ତ ମହିଳାଙ୍କଠାରୁ ବୋତଲ ଛଡ଼ାଇ ନେଇଥିଲେ। ମହିଳା ଜଣକ ପ୍ରତିରୋଧ ବି କରିଥିଲେ। ଅନ୍ୟ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ସେଠାରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଓ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ଏ ନେଇ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୪୨୨/୨୨ରେ ଏକ ମାମଲା ରୁଜୁ ହୋଇଛି।
ଏଥିସହିତ, ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ମଧ୍ୟ ଏସ୍ଡିଜେଏମ୍ କୋର୍ଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। କାହିଁକି ଓ କିଭଳି ପରିସ୍ଥିତିରେ ମହିଳା ଜଣକ ଆତ୍ମାହୁତି ଉଦ୍ୟମ କଲେ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ଏ ସମ୍ପର୍କରେ ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍. କହିଛନ୍ତି, ମହିଳାଙ୍କ ଘର ଗୋସାଇଁ ନୂଆଗାଁ ଅଞ୍ଚଳରେ। ୨୦୨୦ ମସିହାରେ ସେ ସେ ସଦର ଥାନା ଇଲାକାରେ ରହୁଥିଲା ବେଳେ ବାପୁନୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ତାଙ୍କ ସ୍ବାମୀ ହାଇଦ୍ରାବାଦରେ କାମ କରୁଛନ୍ତି। ସେ ପତ୍ନୀଙ୍କ ପାଇଁ ବାପୁନୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ଟଙ୍କା ପଠାଉଥିଲେ। ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ସଂପର୍କ ପ୍ରତିଷ୍ଠା ହେବାସହ ବାପୁନୀ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବାପୁନୀଙ୍କୁ ଗିରଫ କରିଥିଲା। ସେ ଜାମିନ୍ ଆସିବା ପରେ ବି ସମ୍ପୃକ୍ତ ମହିଳାଙ୍କୁ ସେ ହଇରାଣ କରିଥିଲେ। ଗତ ନଭେମ୍ବର ୧୪ତାରିଖରେ ପୁଣିଥରେ ଦୁଷ୍କର୍ମ ମାମଲାରେ ଗୋସାଇଁ ନୂଆଗାଁ ଥାନା ପୁଲିସ ବାପୁନୀଙ୍କୁ ଗିରଫ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ସେ ଜେଲ୍ ଅଛନ୍ତି। ଅଭିଯୁକ୍ତ ଜଣକ ଜେଲ୍ରେ ଥିବାବେଳେ ମହିଳା ଜଣକ କାହିଁକି ଆତ୍ମାହୁତି ଉଦ୍ୟମ କରିଥିଲେ, ତାହା ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ମହିଳାଙ୍କୁ ଅଧିକ ପଚରାଉଚରା ଚାଲିଥିବା ଏସ୍.ପି. କହିଛନ୍ତି।
ଅନ୍ୟପକ୍ଷରେ, ଆଜିର ଘଟଣାରେ ମହିଳାଙ୍କ ଜୀବନ ବଞ୍ଚାଇ ଦେଇଥିବା କନେଷ୍ଟବଳ ରଶ୍ମିରଂଜନଙ୍କୁ ଏସ୍ପିଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ତାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ମହିଳାଙ୍କ ଜୀବନ ରକ୍ଷା ପାଇଗଲା ବୋଲି ଆଇନଜୀବୀ ପ୍ରଦୀପ ବେହେରା, କରୁଣାକର ପାଣିଗ୍ରାହୀ କହିଛନ୍ତି।
ତେବେ, ଏହିଭଳି ଘଟଣା ପାଇଁ କିଛିଦିନ ଧରି ଏସ୍ଡିଜେଏମ୍ଙ୍କ କୋର୍ଟ ଚର୍ଚ୍ଚାରେ ରହିଛି। ଗତ ୨୮ତାରିଖରେ ପୁରୁଣା ବ୍ରହ୍ମପୁର ଜେମାଦେଇ ସାହିର ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ଏସ୍ଡିଏମ୍ଙ୍କ କୋର୍ଟରେ ପଶି ଉନ୍ମତ୍ତକାଣ୍ଡ ଘଟାଇଥିଲେ।