ନିଆଳି : ଗତ ତିନି ମାସ ହେଲା ରାସନକାର୍ଡ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଲା ପରେ ଆଜି ଜଣେ ମହିଳା ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ପୁଣି ତ ବ୍ଲକ୍ କାର୍ଯ୍ୟାଳୟ ଛାତରୁ। କଟକ ଜିଲ୍ଲା ନିଆଳି ବ୍ଲକ୍ ପରିସରରେ ଘଟିଥିବା ଏହି ଘଟଣାକୁ ନେଇ ଆଜି ଦିନତମାମ ଚର୍ଚ୍ଚା ଲାଗି ରହିଛି।
ଏହି ମହିଳା େହଲେ, କଟକ ଜିଲ୍ଲା ନିଆଳି ବ୍ଲକ ଏରଞ୍ଚ ପଞ୍ଚାୟତ ଭାଲିଆକଣ ଗ୍ରାମର ଚିତ୍ତରଂଜନ ମହାରଣାଙ୍କ ପତ୍ନୀ ବବିତା।
ଅଭିଯୋଗ ଅନୁସାରେ, ବବିତା ଗତ ଡିସେମ୍ବର ମାସରେ ବିଡ଼ିଓ ସୟେଦ୍ ଆରିଫ୍ ହୋସେନଙ୍କୁ ଭେଟି ରାସନ୍ କାର୍ଡ ହିତାଧିକାରୀ ଭାବେ ଚୟନ କରିବା ପାଇଁ ଆବେଦନ କରିଥିଲେ। ବିଡ଼ିଓ ସେହି ଦରଖାସ୍ତ ଉପରେ ଦସ୍ତଖତ କରିବା ସହିତ ତଦନ୍ତ କରିବା ପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ସୁପାରିସ କରିଥିଲେ। ତେବେ ଯୋଗାଣ ଅଧିକାରୀ ଆଜି ପର୍ଯ୍ୟନ୍ତ ତଦନ୍ତ ନକରି ବବିତାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ାଇଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ବବିତା ନିଜର ଶିଶୁ କନ୍ୟାକୁ ଧରି ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଯୋଗାଣ ଅଧିକାରୀଙ୍କୁ ଦେଖା କରିଥିଲେ। ତାଙ୍କ କଥାବାର୍ତାରେ ସନ୍ତୁଷ୍ଟ ନହୋଇ ବବିତା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଛାତ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କ ସମେତ ବିଜେଡ଼ି ନେତା ପ୍ରଶାନ୍ତ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ବିରତ କରାଇଥିଲେ। ଏ ସଂପର୍କରେ ବ୍ଲକ ଯୋଗାଣ ଅଧିକାରୀ ସୁଜାତା ମାଳି କୁହନ୍ତି, ‘ବବିତାଙ୍କ ଦରଖାସ୍ତ ପାଇଥିବା ବେଳେ ତାଙ୍କ ସଂପର୍କରେ ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ତାଙ୍କ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ତେବେ, ନିଭରଣ ପଞ୍ଚାୟତର ପୁରୁଣା ବେତଣ୍ତା ଗ୍ରାମର ପ୍ରମିଳା ସାହୁ, ସସ୍ମିତା ସ୍ବାଇଁ, ରୂପା ମଲ୍ଲିକ, ସୁବାସୀ ବେହେରା, ସ୍ବର୍ଣ୍ଣଲତା ପରିଡ଼ା, ସୀତା ବେହେରା, ଲିପି ନାୟକ ଓ ବିଳାସୁଣୀ ପଞ୍ଚାୟତର ପ୍ରଣଦା ପ୍ରିୟଦର୍ଶିନୀ ବାରିକ୍ ପ୍ରମୁଖ ରାସନକାର୍ଡ ପାଇଁ ଆବେଦନ କରି ନିରାଶ ହୋଇଥିବା ନେଇ ଆଜି ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/niali.jpg)