ଏସ୍‌ଡିପିଓଙ୍କୁ ଚପଲରେ ପିଟିଲେ ମହିଳା

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତୁମୁଳକାଣ୍ଡ

ନୟାଗଡ଼ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ନୟାଗଡ଼ ଏସ୍‌ଡିପିଓଙ୍କୁ ଜଣେ ମହିଳା ଚପଲରେ ପିଟିଥିବା ଅଭିଯୋଗ ହୋଇଛି। ଏଥିସହିତ ସଦର ଥାନା ଆଇଆଇସିଙ୍କୁ ମଧ୍ୟ ମହିଳାମାନେ ମାର୍‌ପିଟ୍‌ କରିବା ସହ ତାଙ୍କ ଲାଠି ଛଡାଇ ନେବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଆଜି ଦିନ ପ୍ରାୟ ୧୧ଟାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ‌ସୌମ୍ୟରଞ୍ଜନ ପ୍ରଧାନଙ୍କ ସମେତ ଶହେରୁ ଅଧିକ ମହିଳା ଓ ପୁରୁଷ ଲକ୍ଷ୍ମୀପ୍ରସାଦ ପଞ୍ଚାୟତକୁ ପ୍ରଶାସନିକ ଅବହେଳା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥି‌ଲେ। ଜିଲ୍ଲାପାଳ ନିଜେ ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରନ୍ତୁ ବୋଲି ଅଡ଼ି ବସିଥିଲେ। ନୟାଗଡ଼ ତହସିଲଦାର ମନୋରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲାପାଳ ଆସି ଦାବିପତ୍ର ଗ୍ରହଣ କରିବେ ବୋଲି ଆନ୍ଦୋଳନକାରୀଙ୍କୁ ସୂଚନା ଦେଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳ ନ ଆସିବାରୁ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ମୁଖ୍ୟ ଗେଟ୍ ନିକଟରେ ପୁଲିସ୍‌ ଅଟକାଇବା ଫଳରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧକ୍କା ମରାମରି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ଘଟଣାସ୍ଥଳରେ ଏସ୍‌ପି ଶଶିଭୂଷଣ ଶତପଥୀ, ନୟାଗଡ଼ ଏସ୍‌ଡିପିଓ ସୁଧାକର ସାହୁଙ୍କ ସମେତ ସଦର ଥାନା ଆଇଆଇସି ଓ ଇଟାମାଟି ଥାନା ଆଇଆଇସି ପହଞ୍ଚିଥିଲେ। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ଏହି ସମୟରେ ଜଣେ ମହିଳା ଆନ୍ଦୋଳନକାରୀ ଏସ୍‌ଡିପିଓ ଶ୍ରୀ ସାହୁଙ୍କୁ ଚପଲରେ ପିଟିଥିଲେ।

ସ୍ଥିତି ବିଗିଡ଼ିବା ଦେଖି ଆନ୍ଦୋଳନର ‌ନେତୃତ୍ବ ନେଉଥିବା ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ, ସନ୍ତୋଷ ପ୍ରଧାନ, ମିଟୁ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର