ମହିଳାଙ୍କ ମୁଣ୍ଡ କାଟି ନେଇଯିବା ଘଟଣା: ଦୋଷୀକୁ ଆଜୀବନ ଜେଲ୍‌

କେନ୍ଦୁଝର, : ଭଉଣୀ ହତ୍ୟାକାରୀକୁ କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ ଚିତ୍ତରଂଜନ ମହାପାତ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ଘଟଗାଁ ଥାନା ଛୋଟରାୟପୁର ଗ୍ରାମର ବ୍ରଜ ମୁଣ୍ଡା। ପ୍ରାପ୍ତ ସୂଚନା ଅନୁଯାୟୀ, ‌ଛୋଟରାୟପୁର ଗ୍ରାମର ଲଳିତା ମୁଣ୍ଡା (୫୫)ଙ୍କୁ ଅର୍ଜୁନବିଲ୍ଲା ଗ୍ରାମର ହିନ୍ଦୁଲାଲ୍ ମୁଣ୍ଡା ବିବାହ କରିଥିଲେ। ବିବାହ ପରେ ହିନ୍ଦୁଲାଲ ଶ୍ବଶୁରଘରେ ରହୁଥିଲେ। ଲଳିତାଙ୍କ ପରିବାର ଓ ତାଙ୍କ କାକାପୁଅ ଭାଇ ବ୍ରଜ ମୁଣ୍ଡାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ୨୦୧୫ ମସିହାରେ ଲଳିତାଙ୍କ ପରିବାର ଏକ ପାଇଖାନା ନିର୍ମାଣ କରୁଥିଲେ।

ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏପ୍ରିଲ ୪ ତାରିଖରେ ହିନ୍ଦୁଲାଲ୍ ଘଟଗାଁ ବଜାରକୁ କୌଣସି କାମରେ ଯାଇଥିଲେ। ସ୍ତ୍ରୀ ଲଳିତା ଫୋନ୍‌ କରି ବ୍ରଜ, ନନ୍ଦୁରାମ ମୁଣ୍ଡା ଓ ଜୁଗୁ ମୁଣ୍ଡା ତାଙ୍କ ସହ ଝଗଡ଼ା କରୁଥିବା କହିଥିଲେ। ହିନ୍ଦୁଲାଲ୍ ଘରେ ପହଞ୍ଚି ଦେଖିଲା ବେଳକୁ ପାଇଖାନା ନିର୍ମାଣସ୍ଥଳରେ ଲଳିତାଙ୍କ ମୁଣ୍ଡବିହୀନ ଶବ ପଡ଼ିଥିଲା। ଏନେଇ ସେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ବ୍ରଜକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା।

ନନ୍ଦୁରାମ ଓ ଜୁଗୁ ଫେରାର ହୋଇଯାଇଥିଲେ। ଆଜିପର୍ଯ୍ୟନ୍ତ ସେମାନେ ଗିରଫ ହୋଇନାହାନ୍ତି। ଏହି ମାମଲାରେ ୧୨ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଜିଲ୍ଲା ଦୌରାଜଜ୍ ଚିତ୍ତରଂଜନ ମହାପାତ୍ର ଅଭିଯୁକ୍ତ ବ୍ରଜକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଜେଲ୍‌। ସରକାରଙ୍କ ପକ୍ଷରୁ ପିପି ପଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର