ପଟ୍ଟାମୁଣ୍ଡାଇ: ଧୂପ ନିଆଁରୁ ଅଗ୍ନିକାଣ୍ଡ ଘଟି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ଛକରେ ଥିବା ଏକ ଦୋକାନ ଜଳିଯିବା ସହ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସୂଚନା ମୁତାବକ, ବକ୍ତାରପୁର ଛକରେ ପୁରୁଷୋତ୍ତମ ସାହୁଙ୍କ ପତ୍ନୀ କମଳା ସାହୁ (୪୮) ଏକ ହାର୍ଡୱେୟାର୍ ଦୋକାନ କରିଛନ୍ତି I କମଳାଙ୍କ ଦୋକାନକୁ ଲାଗି ତାଙ୍କ ଭଉଣୀଙ୍କର ଏକ ପାନ ଦୋକାନ ରହିଛି। ଭଉଣୀ ନିଜ ଶାଶୂଘରକୁ ଯାଇଥିଲା ବେଳେ ତାଙ୍କ ସହ କମଳାଙ୍କ ଝିଅ ଓ ପୁଅ ମଧ୍ୟ ଯାଇଥିଲେ। ଆଜି ସକାଳ ପ୍ରାୟ ୮ଟାରେ କମଳା ପାନ ଦୋକାନରେ ଧୂପ ଦେଉଥିଲେ।
ଏତିକି ବେଳେ ହଠାତ୍ ନିଆଁ ଉଠି ଦୋକାନରେ ଲାଗିଯିବା ସହ ବାହାରେ ପେଟ୍ରୋଲ୍ ବିକ୍ରି ହେଉଥିବାରୁ ଚାରିଆଡ଼େ ବ୍ୟାପୀ ଯାଇଥିଲା। ଫଳରେ ଦୋକାନ ଭିତରେ ଥିବା କମଳା ନିଆଁରୁ ମୁକୁଳି ବାହାରକୁ ଆସିପାରି ନ ଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇରୁ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପାନ ଦୋକାନରୁ କମଳାଙ୍କ ମୃତଦେହ ଉଦ୍ଧାର କରିଥିଲା। କମଳାଙ୍କ ସ୍ୱାମୀ ପୁରୁଷୋତ୍ତମ ଓଡ଼ିଶା ବାହାରେ କାମ କରୁଥିବା ଜଣାଯାଇଛି। ଖବର ପାଇ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ, ତହସିଲଦାର ପଞ୍ଚାନନ ନାୟକ, ବିଡିଓ ଶୁଭ୍ରାଂଶୁ ସାହୁ, ଥାନା ଆଇଆଇସି ସୁଶାନ୍ତ ସାହୁ, ସମାଜସେବୀ ଦିଗମ୍ବର ମିଶ୍ର, ବାବନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/10/2EVfVLfWpftefTM6nmmx.jpg)