କଙ୍କଡ଼ାହାଡ଼: ଢେଙ୍କାନାଳଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗାଁରେ ଜଙ୍ଗଲ ନିଆଁ ଜଣେ ମହିଳାଙ୍କ ଜୀବନ ନେଇଛି। ଗାଁର ବୁଧିନୀ ମହାନ୍ତ (୫୦) ଜୀବନ୍ତଦଗ୍ଧ ହୋଇଥିବା ସୂଚନା ମିଳିଛି। ଆଜି ବୁଧିନୀଙ୍କ ଘରଠାରୁ ୧୦୦ ମିଟର ଦୂର ଜଙ୍ଗଲରେ ନିଆଁ ଲାଗିଥିଲା। ଏଥିରେ ତାଙ୍କ ଘର ଜଳିଯିବା ଆଶଙ୍କା କରି ସେ ନିଆଁ ଲିଭାଇବା ପାଇଁ ଯାଉଥିଲେ।
ଏହି ସମୟରେ ସେ ତଳେ ପଡ଼ି ଯାଇଥିଲେ। ଜଙ୍ଗଲ ନିଆଁ ଏତେ ଭୟଙ୍କର ଥିଲା ଯେ ସେ ଏଥିରେ ପୋଡ଼ି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ବାମ ପଞ୍ଚାୟତ ସରପଞ୍ଚ ଫକୀର ଚରଣ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ବୁଧିନୀଙ୍କ ପରିବାରକୁ ସରକାରୀ ସହାୟତା ଦାବି କରିଛନ୍ତି। ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଖରା ବଢ଼ିବା ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ବନ ବିଭାଗ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରି ନାହିଁ। ଏନେଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଉଥିବା ବେଳେ ଦୁର୍ବୃତ୍ତମାନେ ପୁଣି ନିଆଁ ଲଗାଇ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/03/rZhVv4xKLHILrfeF3hBv.jpg)