ବାରମ୍ବାର ଗର୍ଭରେ କନ୍ୟା ସନ୍ତାନ ଧାରଣ କରୁଥିବା ଯୋଗୁଁ ମହିଳାଙ୍କୁ ପୋଡ଼ି ମାରିଦେଲେ ସ୍ବାମୀ ଏବଂ ତାଙ୍କ ପରିବାର !

ରାଉରକେଲା: ଶିଳ୍ପ ନଗରୀ ରାଉରକେଲାରେ ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଗର୍ଭବତୀଙ୍କ ପରିବାର ପକ୍ଷରୁ ଏ ନେଇ ବନ୍ଧମୁଣ୍ଡା ଥାନାରେ ହତ୍ୟା ଅଭିଯୋଗ କରାଯାଇଛି | ବାରମ୍ବାର ଗର୍ଭରେ କନ୍ୟା ସନ୍ତାନ ଧାରଣ କରୁଥିବା ଯୋଗୁଁ ମହିଳାଙ୍କୁ  ସ୍ବାମୀ ଏବଂ ତାଙ୍କ ପରିବାର ପୋଡ଼ି ମାରିଦେଇଛନ୍ତି ବୋଲି ଅଭିଯୋଗରେ କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସହରର ଗୋପବନ୍ଧୁପାଲି କୋଇଲା ଘାଟି ବସ୍ତିର ବିନୋଦ ସିଂହ (୪୦) ରାଧା କୁମାରୀ(୩୫)ଙ୍କୁ ୨୦୧୪ ମସିହା ମାର୍ଚ୍ଚ ମାସରେ ବିବାହ କରିଥିଲେ। ବାହାଘର ପରେ ସ୍ବାମୀ-ସ୍ତ୍ରୀ ଗୁଜୁରାଟର ସୁରାଟକୁ ଯାଇଥିଲେ। ସେଠାରେ ବିନୋଦ ସିଂହ ଏକ ସୂତାକଳରେ କାମ କରିଥିଲେ । ବାହାଘରର କିଛି ମାସ ପରେ ରାଧା କୁମାରୀଙ୍କର ଗର୍ଭରେ ଏକ କନ୍ୟା ସନ୍ତାନ ଥିବା ଜାଣି ପାରି ବିନୋଦ ସ୍ତ୍ରୀଙ୍କର ଗର୍ଭପାତ କରାଇଥିଲେ। ଦ୍ବିତୀୟ ଥର ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତା’ପରଠାରୁ ବିନୋଦ, ତାଙ୍କର ବାପା ରାମକୀର୍ତ୍ତି ସିଂହ, ଦେଢ଼ଶୁର ଜୟମଙ୍ଗଳ ସିଂହ ଏବଂ ଯାଆ ମୁନ୍ନୀ ଦେବୀ ପ୍ରମୁଖ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ରାଧା କୁମାରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

image source-the telegraph

ଗତ ଫେବ୍ରୁଆରି ୧ ତାରିଖରେ ସେମାନେ ରାଧା କୁମାରୀଙ୍କୁ ପୋଡ଼ି ଦେବା ପରେ ଆରଜିଏଚରେ ଭର୍ତ୍ତି କରିଥିଲେ। ସେତେବେଳକୁ ରାଧା ପ୍ରାୟ ୬ ମାସର ଗର୍ଭବତୀ ଥିଲେ। ଗତ ୩ ତାରିଖରେ ଗର୍ଭସ୍ଥ ଶିଶୁଟି ପ୍ରାଣ ହରାଇଥିଲା ଏବଂ ଗତକାଲି ରାତିରେ ରାଧା କୁମାରୀଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ପାଇବା ପରେ ବନ୍ଧମୁଣ୍ଡା ଥାନା ପୁଲିସ୍ ରାଧା କୁମାରୀଙ୍କର ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏହି ରିପୋର୍ଟ ଲେଖା ଯିବା ଯାଏଁ ଅଭିଯୁକ୍ତ ସ୍ବାମୀ ବା ତାଙ୍କ ପରିବାରର କାହାରିକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର