ଜୀବନ ସଂଘର୍ଷରେ ହାରିଗଲେ

୨ ଶିଶୁ ମା’ଛେଉଣ୍ଡ; କଠୋର ଦଣ୍ଡ ଦାବି କଲେ ଲୋକେ

ହୀରାକୁଦ : ଦୀର୍ଘ ୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ହାରି ଯାଇଛନ୍ତି ହୀରାକୁଦର ଜ୍ୟୋତିର୍ମୟୀ ନାୟକ। ୨ ଝିଅ ଜନ୍ମ ଦେଇଥିବାରୁ ପରିବାର ଲୋକ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ, ଆଜି ସେ ଆଖି ବୁଜିଛନ୍ତି।

ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା। ପରିବାର ଲୋକ ୩ ବର୍ଷର ଝିଅ ସାମ୍‌ନାରେ ଜ୍ୟୋତିର୍ମୟୀଙ୍କ ପ୍ରତି ଏହିଭଳି ଅମାନୁଷିକ ଘଟଣା ଘଟାଇଥିଲେ। ଆଜି ତାଙ୍କର ମୃତ୍ୟୁ ପରେ ପୁଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ହୀରାକୁଦକୁ ମୃତଦେହ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଘଟଣାର ଅଭିଯୁକ୍ତ ଜ୍ୟୋତିର୍ମୟୀଙ୍କ ସ୍ବାମୀ ସ୍ମୃତିରଞ୍ଜନ, ଶାଶୂ ବାସନ୍ତୀ ଓ ଶ୍ବଶୁର ରଘୁନାଥ ଏବେ ଜେଲ୍‌ରେ ଥିଲାବେଳେ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଶେଷକୃତ୍ୟ ସମ୍ପନ୍ନ ହୋଇଥିଲେ। ଏବଂ, ସମସ୍ତେ ଏକ ଅଶ୍ରୁଳ ପରିବେଶ ଭିତରେ ଜ୍ୟୋତିର୍ମୟୀଙ୍କୁ ଭାବବିହ୍ବଳ ବିଦାୟ ଦେଇଥିଲେ।

ଜ୍ୟୋତିର୍ମୟୀଙ୍କ ମୃତ୍ୟୁ ପରେ ହୀରାକୁଦ ପୁଲିସ୍‌ ହତ୍ୟା ମାମଲା ରୁଜ୍ଜୁ କରିଛି। ତେବେ, ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କ‌େଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ‌ଜ୍ୟୋତିର୍ମୟୀଙ୍କ ମୃତ୍ୟୁରେ ମା’ ଛେଉଣ୍ଡ ହୋଇଯାଇଥିବା ତାଙ୍କର ୨ ଝିଅଙ୍କୁ ଶିଶୁ ଯତ୍ନ କେନ୍ଦ୍ରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର