କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ରଗଦା ପୁରୁଣାଡିହ ଗାଁର ପୁରୁଣା ମହିଳା ନକ୍ସଲ କମାଣ୍ଡର ଝୁମୁରା ହେମ୍ବ୍ରମ(୩୮)ଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ସେ ପୁରୁଣା ମାଓ କମାଣ୍ଡର ଜମାଦାର ହେମ୍ବ୍ରମଙ୍କ ପତ୍ନୀ। ଝୁମୁରା ନିଜ ଶାଢ଼ିରେ ଝୁଲି ପଡ଼ିଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ପୁଲିସ ପହଞ୍ଚିବା ପୂର୍ବରୁ ଜମାଦାର ଓ ତାଙ୍କ ଦ୍ବିତୀୟ ପତ୍ନୀ ସମ୍ବାରୀ ମୃତଦେହ ତଳକୁ ଓହ୍ଲାଇ ଦେଇଥିଲେ। ତେବେ ଏ ସଂକ୍ରାନ୍ତରେ ମୃତକଙ୍କ ଭାଇ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ପଞ୍ଚାୟତ ଅନ୍ତର୍ଗତ ଖସାପଦା ଗାଁର ଘନଶ୍ୟାମ ତିରିଆ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରନ୍ତି।
ଏସଂକ୍ରାନ୍ତରେ ସେ ଭିଣୋଇ ଜମାଦାର ଓ ମୃତ ଉଭଣୀର ସଉତୁଣୀଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘନଶ୍ୟାମଙ୍କ ଏତଲା ଆଧାରରେ ଥାନାରେ ଆଇପିସି ଦଫା ୩୦୨ ଆଧାରରେ ଏକ କେସ୍ ୮୭/୨୪ ରୁଜୁ ହୋଇଛି। ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ କହନ୍ତି। ସୂଚନା ଯୋଗ୍ୟ ଯେ, ଜମାଦାର ୨୦୦୬ ମସିହାରେ ଓ ଝୁମୁରା ଏହାର ପରବର୍ଷ ସିପିଆଇ(ମାଓବାଦୀ) ଆଦର୍ଶରେ ଗଠିତ କଳିଙ୍ଗନଗର ଡିଭିଜନାଲ କମିଟି(କେଡିସି)ର ସଦସ୍ୟତା ଗ୍ରହଣ କରିଥିଲେ। ୨୦୧୦ ମସିହାରେ ଏହି ମାଓ ଦମ୍ପତି ଯାଜପୁରର ତତ୍କାଳୀନ ଏସ୍ପି ଡିଏସ୍ କୁଟ୍ଟେଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଝୁମୁରାଙ୍କର ୨ଜଣ ସନ୍ତାନ ଓ ତାଙ୍କ ସଉତୁଣୀ ସମ୍ବାରୀଙ୍କର ଆଉ ୨ଜଣ ମୋଟ୍ ୪ ଜଣ ପିଲା ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)