ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଶିଙ୍କୁଲିପଦର ପଞ୍ଚାୟତ ଓଲଣ୍ତା ଗ୍ରାମକୁ ଭଲ ରାସ୍ତା ନାହିଁ। ଫଳରେ ୧୦୮ ଆମ୍ବୁଲାନ୍ସ୍ ଗାଁ ଭିତରକୁ ଯାଇ ନପାରି ୩ କିଲୋମିଟର ଦୂରରେ ଅଟକିଥିଲା। ଶେଷରେ ଦାୟିତ୍ବରେ ଥିବା ଫାର୍ମାସିଷ୍ଟ୍ ବିଦ୍ୟାଧର ସାହୁଙ୍କ ଉଦ୍ୟମରେ ଏବ˚ ଗ୍ରାମବାସୀଙ୍କ ସହଯୋଗରେ ଓଲଣ୍ତା ଗ୍ରାମର ଗର୍ଭବତୀ ସୁନିଲା ଶବର(୩୩)ଙ୍କୁ ଷ୍ଟ୍ରେଚରରେ ୩ କିଲୋମିଟର ପର୍ଯ୍ୟନ୍ତ ବୋହି ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ୍ ଯୋଗେ ତାଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସୁନିଲା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ସୁନିଲାଙ୍କ ଗତକାଲି ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ୧୦୮ ଆମ୍ବଲାନ୍ସ୍ ଫୋନ୍ କରିଥିଲେ। କିନ୍ତୁ ଗ୍ରାମକୁ ଭଲ ରାସ୍ତା ନଥିବା ଯୋଗୁଁ ଓଲଣ୍ତା ଗ୍ରାମ ଭିତରକୁ ଗାଡ଼ି ଆସି ପାରି ନଥିଲା। ହେଲେ ଫାର୍ମାସିଷ୍ଟ୍ ବିଦ୍ୟାଧର ବୁଦ୍ଧି ଖଟାଇ ସୁନିଲାଙ୍କୁ କେମିତି ଡାକ୍ତରଖାନାକୁ ଅଣାଯିବ ଏନେଇ ଉଦ୍ୟମ ଆରମ୍ଭ କରିଥିଲେ। ଷ୍ଟ୍ରେଚରକୁ ତାଙ୍କ ଘର ପାଖକୁ ନେଇଥିଲେ। ଷ୍ଟ୍ରେଚରରେ ସୁନିଲାଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ବିଦ୍ୟାଧରଙ୍କୁ ଏଥିପାଇଁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।