ଝରିଗାଁ: ରାସ୍ତା ଖରାପ ଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୪ କିଲୋମିଟର ଖଟିଆରେ ବୋହିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ପାରିଛନ୍ତି। ରାସ୍ତାରେ ଆମ୍ବୁଲାନ୍ସ ଭିତରେ ହିଁ ମହିଳା ଜଣଙ୍କ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ଉପାନ୍ତ ସର୍ଗିପାଣି ଗ୍ରାମରେ।
ସୂଚନା ଅନୁଯାୟୀ, ସର୍ଗିପାଣି ଗ୍ରାମର ଇସ୍ର ସାନ୍ତାଙ୍କ ଦେହ ଖରାପ ଥିବାରୁ ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତର ଧାରିଣୀବେଡ଼ା ଗ୍ରାମରେ ରହୁଥିବା ଇସ୍ରଙ୍କ ଝିଅ ତଥା ନବୀନ ସାନ୍ତଙ୍କ ପତ୍ନୀ ସସ୍ମିତା ସନ୍ତା(୨୫ ) ୩ଦିନ ତଳେ ବାପାଙ୍କୁ ଦେଖିବାକୁ ଯାଇଥିଲେ। ସସ୍ମିତା ଗର୍ଭବତୀ ଥିବା ବେଳେ ଆଜି ଭୋରରୁ ତାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ସସ୍ମିତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଆମ୍ବୁଲାନ୍ସ ସର୍ଗିପାଣି ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା ଖରାପ ଥିବାରୁ ସର୍ଗିପାଣି ଗ୍ରାମ ଠାରୁ ପ୍ରାୟ ୪ କିଲୋମିଟର ଦୂର ଫୁଲଝରି ଗ୍ରାମ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା।
ଏହି ଖବର ପାଇବା ପରେ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ସସ୍ମିତାଙ୍କୁ ଏକ ଖଟିଆରେ ୪ କିଲୋମିଟର ବୋହି ଫୁଲଝରି ଗ୍ରାମ ପର୍ଯ୍ୟନ୍ତ ନେଇଥିଲେ। ପରେ ସସ୍ମିତାଙ୍କୁ ଆମ୍ବୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରସବ ବେଦନାରେ ଛଟପଟ ହେଉଥିବା ସସ୍ମିତା ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସରେ ହିଁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ସସ୍ମିତା ଓ ନବଜାତ ଶିଶୁକୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣା ପଡ଼ିଛି।
ସୂଚନାଯୋଗ୍ୟ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଝରିଗାଁ ବ୍ଲକର ବହୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ତେଣୁ ଜରୁରୀ ସମୟରେ ରୋଗୀ ଏବଂ ଗର୍ଭବତୀମାନେ ତ୍ବରିତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ସହ ଷ୍ଟ୍ରେଚର କିମ୍ବା ଖଟିଆରେ ବୁହା ହେଉଥିବା ନଜିର ରହିଛି। ପକ୍କା ରାସ୍ତା ନଥିବା ଗ୍ରାମ ଗୁଡିକୁ ପ୍ରଶାସନ ତୁରନ୍ତ ଚିହ୍ନଟ କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।