ଭଞ୍ଜନଗର : ନିଜ ଗର୍ଭରୁ ଜନ୍ମ ହୋଇ ନଥିଲେ ମଧ୍ୟ ନିଜ ସନ୍ତାନ ଠାରୁ ଅଧିକ ଯତ୍ନରେ ଲାଳନପାଳନ କରିଥିଲେ। ଯଶୋଦା ସାଜି ରାସ୍ତାକଡ଼ରୁ ପାଇଥିବା ଶିଶୁପୁତ୍ରକୁ କ୍ଷଣଟିଏ ବି ପାଖରୁ ଅଲଗା କରି ନଥିଲେ। କିନ୍ତୁ ନୀତିନିୟମ ଓ ଆଇନ୍ ଆଗରେ ମାଆର ମମତା ହାର୍ ମାନିଲା। ରାସ୍ତାକଡ଼ରୁ ମିଳିଥିବା ଶିଶୁକୁ ଜଣେ ନିଃସନ୍ତାନ ମହିଳା ଆପଣାଇଥିବା ଖବର ପାଇବା ପରେ ଚାଇଲ୍ଡଲାଇନ୍ ସଂସ୍ଥା ତାକୁ ବିଧିବଦ୍ଧ ଭାବେ ନିଜ ହେପାଜତକୁ ନେଇଗଲା। ଆଉ ଦୀର୍ଘ ଅଢ଼େଇ ମାସ ଧରି ପରିବାରର ଜଣେ ପ୍ରମୁଖ ସଦସ୍ୟ ପାଲଟିଥିବା ଶିଶୁଟି ମାଆର କୋଳରୁ ଚାଲିଗଲା। ଏଭଳି ହୃଦୟ ବିଦାରକ ଦୃଶ୍ୟ ଆଜି ଭଞ୍ଜନଗର ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି।
ଘଟଣା ଅନୁଯାୟୀ ଭଞ୍ଜନଗର ବ୍ଲକ୍ ଜିଲୁଣ୍ଡି ପଞ୍ଚାୟତର କାଳିଆପଲ୍ଲୀ ଗ୍ରାମ ରଘୁନାଥ ନାଇକ ଏବଂ ଝୁନୁ ନାଇକଙ୍କ ଘରେ ଏକ ଅଢ଼େଇ ମାସର ଶିଶୁପୁତ୍ର ରହିଥିଲା। ଏହି ଶିଶୁପୁତ୍ରକୁ ତାଙ୍କ ଭଣଜା ତୁଷାର ଅଗଷ୍ଟ ମାସ ୧୩ ତାରିଖ ଦିନ ତିନିଛକିଆ ଓ ବାରଦଣ୍ଡା ରାସ୍ତାକଡ଼ରୁ ପାଇଥିଲେ। ଝୁନୁଙ୍କ ଝିଅ ସରସ୍ବତୀ ନିଃସନ୍ତାନ ସନ୍ତାନ ଥିବାରୁ ସେ ଏହି ଶିଶୁପୁତ୍ରଟିକୁ ରଖି ଲାଳନପାଳନ କରିଥିଲେ। ରୀତିନୀତି ଅନୁଯାୟୀ ନାମକରଣ କରିବା ସହ ମେଳା ମଧ୍ୟ ଆୟୋଜିତ ହୋଇଥିଲା।
ଗତ ୨୩ ତାରିଖ ଦିନ ଶିଶୁପୁତ୍ରଟିକୁ ହଠାତ୍ ଜ୍ବର ହେବାରୁ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ମେଡିକାଲ୍ରେ ଚିକିତ୍ସା ଚାଲିବା ପରେ ଆଜି ଶିଶୁପୁତ୍ରକୁ ଟିକା ଦେବା ପାଇଁ ଡାକ୍ତର କହିଥିଲେ। ପରିବାରଲୋକ ତାକୁ ଟିକା ଦେବାକୁ ପିପିସିକୁ ନେବା ବେଳେ କର୍ତ୍ତୃପକ୍ଷ ମମତା କାର୍ଡ଼ ଦାଖଲ କରିବାକୁ କହିଥିଲେ। ପରିବାର ଲୋକ ଶିଶୁପୁତ୍ରଟିକୁ ରାସ୍ତାକଡ଼ରୁ ପାଇଥିବା କହିଥିଲେ। ଘଟଣା ନେଇ ଡାକ୍ତରଖାନା ଅଧୀକ୍ଷକଙ୍କୁ ଅବଗତ କରାଯାଇଥିଲା।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଚାଇଲ୍ଡଲାଇନର ଏକ ଟିମ୍ ବ୍ରହ୍ମପୁରରୁ ଭଞ୍ଜନଗର ଆସିଥିଲେ। ପୁଲିସ ସହାୟତାରେ ଶିଶୁଟିକୁ ନେଇଯାଇଥିଲେ। ପୁଲିସ ବୁଝାସୁଝା କରିଥିଲେ ସେମାନେ ଶିଶୁଟିକୁ ଛାଡ଼ିବା ପାଇଁ ନାରାଜ୍ ହୋଇଥିଲେ। ତଥାପି ନିୟମ ଆଗରେ ସରସ୍ବତୀଙ୍କ ମମତା ହାର୍ ମାନିଯାଇଥିଲା। ଛାତିରେ ପଥର ରଖି ସେ ଶିଶୁଟିକୁ ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। କାନ୍ଦବୋବାଳିରେ ଡାକ୍ତରଖାନା ପରିବେଶ ଫାଟିପଡ଼ିଥିଲା। ତେବେ ପିଲାକୁ ତାଙ୍କ ନିକଟକୁ ଫେରାଇ ଦେବା ପାଇଁ ସରସ୍ବତୀ ବାହୁନି ବାହୁନି କାନ୍ଦୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା।