ବୀରମହାରାଜପୁର: ବିକାଶର ଡେଙ୍ଗୁରା ବଜାଉଥିବା ରାଜ୍ୟ ସରକାର ତୃଣମୂଳ ସ୍ତରରେ ଲୋକଙ୍କୁ କିଭଳି ସୁବିଧା ଦେଇଛନ୍ତି ତାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ। ଏହି ଗାଁଟି କୌଣସି ଉପାନ୍ତ ଅଥବା ଦୁର୍ଗମ ଜିଲ୍ଲାର ଅଂଶ ବିଶେଷ ହୋଇ ନଥିଲେ ମଧ୍ୟ ଏକ ଭଲ ରାସ୍ତା ନଥିବାରୁ ଶହଶହ ବର୍ଷ ଧରି ଅସୁବିଧାର ସାମ୍ନା କରି ଆସୁଛନ୍ତି। ଆଜି ଏହି ଗାଁର ଜଣେ ପ୍ରସୁତିଙ୍କୁ ମଧ୍ୟ ହୀନସ୍ତା ହେବାକୁ ପଡ଼ିଛି। ପରିବାର ଲୋକେ ତାଙ୍କୁ ନାଳ ପାରି କରି ଚାଷଜମି ଭିତରେ ଆବଡ଼ାଖାବଡ଼ା ରାସ୍ତାରେ ଖଟିଆରେ ବୋହିଛନ୍ତି। ୧୦୨ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ପ୍ରସୂତି ଜଣକ ଏକ ଶିଶୁକନ୍ୟାର ମା’ ହୋଇଛନ୍ତି। ମହିଳା ଜଣକ ହେଲେ ଗୁଲାପି ମିର୍ଦ୍ଧା।
/sambad/media/post_attachments/wp-content/uploads/2023/10/BMPur-hospital.jpg)
ଫବସିପାଲିର ଖିରୋଜ ମିର୍ଦ୍ଧାଙ୍କ ସ୍ତ୍ରୀ ଗୁଲାପି ମିର୍ଦ୍ଧାଙ୍କର ଆଜି ଅପରାହ୍ଣରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଗୁଲାପିଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ୨୦ କିଲୋମିଟର ଦୂରରୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଗୁଲାପିଙ୍କ ଅବସ୍ଥା ସଂକଟାପନ୍ନ ହୋଇସାରିଥିଲା। ତେଣୁ ପରିବାର ଲୋକେ ଧୈର୍ଯ୍ୟ ହରାଇ ରାସ୍ତା ନଥିବାରୁ ଖଟିଆରେ ବିଲହିଡ ଦେଇ ତାଙ୍କୁ ୧ କିଲୋମିଟର ଦୂର ମୁଖ୍ୟ ରାସ୍ତାକୁ ଆଣୁଥିଲେ। ପ୍ରସବ ବେଦନା ସହି ନପାରି ବିଲ ହିଡରେ ମହିଳା ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ୧୦୨ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ଓ ନବଜାତକୁ ନେଇ ଡାକ୍ତରଖାନା ଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଉଭୟ ମା’ ଓ ଶିଶୁର ସ୍ବାସ୍ଥ୍ୟ ସୁସ୍ଥ ଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/10/a7cce4b5-65fe-4c9c-b766-0d5518a4feb2-1024x770.jpeg)
କ୍ଷୋଭର ବିଷୟ ଯେ, ଏହି ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ଖରା, ବର୍ଷା ଓ ଶୀତ ସବୁଦିନ ବିଲ ହିଡ଼ ଦେଇ ଯାତାୟତ କରନ୍ତି।। ଏନେଇ ବିଭିନ୍ନ ସମୟରେ ସ୍ଥାନୀୟ ନେତା ଓ ମନ୍ତ୍ରୀଠୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ହେଁ ରାସ୍ତା ଖଣ୍ଡେ ହୋଇ ପାରୁ ନାହିଁ। ଫଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ଦୂରକୁ ଚାଲି ଯାଇଥିବା ଏଥିରୁ ସ୍ବଷ୍ଟ ଭାବରେ ଜଣାପଡୁଛି। ରାସ୍ତା ନଥିବାରୁ ଜନନୀ ସୁରକ୍ଷା ଯୋଜନାର ଗାଡ଼ି ପ୍ରସୂତିଙ୍କ ଗାଁକୁ ଯାଇପାରି ନାହିଁ। ତେଣୁ ସାଧାରଣରେ କେତେ କଥା ଆଲୋଚନା ହେଉଛି ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନ ଗୌଡ଼ଗାଡ଼ ଛକରୁ ଜଗନ୍ନାଥଧାମ ‘ପାତାଳିଶ୍ରୀକ୍ଷେତ୍ର’କୁ ଲମ୍ବିଛି ମୁଖ୍ୟ ରାସ୍ତା। ଏହି ଛକ ଠାରୁ ମାତ୍ର ଅଧ କିଲୋମିଟର ଆଗକୁ ଗଲେ ଏକ ଅପନ୍ତରିଆ ରାସ୍ତାରେ ୧ କିଲୋମିଟର ଦୂରରେ ରହିଛି ଫବସିପାଲି। ଏହି ଗାଁର ଲୋକେ ପିଚୁ ରାସ୍ତାକୁ ଦୀର୍ଘ ବର୍ଷ ହେଲା ଦେଖି ଆସୁଛନ୍ତି। କିନ୍ତୁ ସେମାନେ ଏକ ଅପନ୍ତରିଆ ରାସ୍ତାରେ ସବୁଦିନ ପାଇଁ ଯିବା ଆସିବା କରୁଛନ୍ତି। ଏହି ଗାଁଟି ଦୁର୍ଗମ ଅଞ୍ଚଳରେ ନଥିଲେ ମଧ୍ୟ ଏଠାରେ ରହୁଥିବା ଅନୁସୂଚିତ ଜନଜାତିର ଲୋକେ ଭଲ ରାସ୍ତାଟିଏ ପାଇଁ ସପ୍ନ ଦେଖୁଛନ୍ତି।
ସରପଞ୍ଚ ନିରୁପମା ସେଠୀ କହିଛନ୍ତି ଫବସିପାଲି ଗାଁରେ ପ୍ରାୟ ୧୩ଟି ପରିବାର ବସବାସ କରନ୍ତି। ମୁଖ୍ୟରାସ୍ତାରୁ ଗାଁକୁ ଯିବା ପାଇଁ ସରକାରୀ ଜମି ନାହିଁ। ଘରୋଇ ଜମି ଥିବାରୁ ରାସ୍ତା ନିର୍ମାଣରେ ଅସୁବିଧା ହେଉଛି। ଦୀର୍ଘ ବର୍ଷ ହେଲା ଲୋକେ ଏକ ସଂକୀର୍ଣ୍ଣ ରାସ୍ତାରେ ଚାଲିଚାଲି ଯାଉଛନ୍ତି। ଲୋକଙ୍କ ମଧ୍ୟରେ ବୁଝାମଣା ଅଭାବରୁ ରାସ୍ତା ନିର୍ମାଣରେ ଅସୁବିଧା ହେଉଛି। ଆରଡି ରାସ୍ତାରୁ ବୁଲିକି ଆସିଲେ ଅଢ଼େଇ କିଲୋମିଟର ପଡ଼ିବ। କିନ୍ତୁ ସେଥିରେ ମଧ୍ୟ ରାସ୍ତା ନିର୍ମାଣ କରିବା ପାଇଁ ଅସୁବିଧା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Presentation2.jpg)