ନବରଙ୍ଗପୁରରେ ପୁଣ ଜନନୀ ଯନ୍ତ୍ରଣା: ଝିପି ଝିପି ବର୍ଷାରେ ଜରି ପକାଇ ୪ କିମି ଷ୍ଟ୍ରେଚର୍‌ରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର: ଆଜି ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୁହାହୋଇ ୪ କିମି ଅଣାଯାଇଥିବାର ଏକ ଘଟଣା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ଉମରକୋଟ ଅଞ୍ଚଳରେ ଏପରି ଖଟିଆରେ ବୁହା ହୋଇ ଆଣୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜି ପାପଡାହାଣ୍ଡି ବ୍ଲକର ମଇଦଲପୁର ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି।

ପାପଡାହାଣ୍ଡି ବ୍ଲକର ସାନବାରଲି ପଞ୍ଚାୟତର ମାଲିଆମ୍ବ ଗାଁକୁ ପକ୍କା ରାସ୍ତା ନାହିଁ। ଗତ କିଛି ଦିନ ପୂର୍ବେ ଲଗାଣ ବର୍ଷା ହେବା ଯୋଗୁଁ ମାଟି ରାସ୍ତା କାଦୁଅ ପଚ୍‌ ପଚ ହୋଇ ରହିଥିଲା। ଆଜି ମାଲିଆମ୍ବ ଗାଁର ସୁନ୍ଦୁରୁ ସାନ୍ତାଙ୍କ ପତ୍ନୀ ଦମେଇ ସାନ୍ତାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନସ ଯାଇପାରିଲା ନାହିଁ। ଗାଁ ଲୋକେ ବାଧ୍ୟ ହୋଇ ଏକ ଷ୍ଟ୍ରେଚରରେ ଦୋଳା କରି ଡମେଇଙ୍କୁ ପ୍ରାୟ ୪ କିମି ବୋହି ବୋହି ଖଜିରି ଗାଁ ନିକଟକୁ ଆଣିଥିଲେ।

ମହିଳାଙ୍କୁ ଚାଲି ଚାଲି ଆଣିବା ବେଳେ ଝିପି ଝିପି ବର୍ଷା ଲାଗି ରହିଥିଲା। ମହିଳାମଙ୍କ ଉପରେ ଏକ ଜରି ପକାଯିବା ସହ ଉପରେ ଛତା ଘଡାଇ ଅଣାଯାଇଥିଲା। ଖଜିରି ଗାଁ ଠାରୁ ଆମ୍ବୁଲାନସ ଯୋଗେ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦମେଇଙ୍କୁ ଅଣାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପାପଡାହାଣ୍ଡି ଡାକ୍ତରଖାନାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବାର ଜଣାପଡିଛି।

ନବରଙ୍ଗପୁର ଜିଲ୍ଲାରେ ବହୁ ଅଞ୍ଚଳକୁ ବର୍ଷ ବର୍ଷ ଧରି ପକ୍କା ରାସ୍ତା ହୋଇପାରୁ ନଥିବାରୁ ଗାଁକୁ ଗଡିପାରୁନି ଆମ୍ବୁଲାନସ। ବାଧ୍ୟ ହୋଇ ଲୋକେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଆଣୁଥିବାର ନଜିର ରହିଛି। ଜିଲ୍ଲାରେ ଏପରି ଖଟିଆ ରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆରେ ବୁହା ହେବା ଘଟଣା ଝରିଗାଁ, ଉମରକୋଟ, ରାଇଘର ଓ ପାପଡାହାଣ୍ଡି ବ୍ଲକରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଗତ ୧ ମାସ ମଧ୍ୟରେ ରାଇଘର, ଝରିଗାଁ ଓ ଉମରକୋଟରେ ଖଟିଆରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇ ଆଣିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିବା ବେଳେ ଏବେ ପାପଡାହାଣ୍ଡି ବ୍ଲକ ମଇଦଲପୁର ଅଞ୍ଚଳରେ ଆଜି ଷ୍ଟ୍ରେଚରରେ ଗର୍ଭବତୀ ମହିଳାଙ୍କୁ ବୁହା ହୋଇ ୪ କିମି ରାସ୍ତା ଆଣିଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ଦମେଇଙ୍କ ଏହା ପ୍ରଥମ ପ୍ରସବ ଥିବା ଜଣାପଡିଛି। ତେବେ ମା’ ଗୃହକୁ କାର୍ଯ୍ୟକାରିତା ନେଇ ପୁଣି ପ୍ରଶ୍ନ ଉଠିଛି। ସରକାର ଶତ ପ୍ରତିଶତ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ କରାଇବା ପାଇଁ ମା’ ଗୃହ ମାନ ସ୍ଥାପନ କରାଯାଇଛି। ରାସ୍ତା ଘାଟ ନଥିବା ଗାଁ ଗୁଡିକରୁ ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ତାରିଖର ୭ ରୁ ୧୫ଦିନ ପୂର୍ବରୁ ଅଣାଯାଇ ମା’ ଗୃହରେ ଆଣି ରଖିବାର ନିୟମ ରହିଛି। ମା’ ଗୃହରେ ରଖି ଚିକିତ୍ସା କରିବା ପରେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାକୁ ନେଇ ପ୍ରସବ କରାଇବାର ନିୟମ ରହିଥିବା ବେଳେ କିପରି ଭାବେ ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି ବୋଲି ବିଭିନ୍ନ ମହଲ ରେ ଦାବି ହେଉଛି।

ସମ୍ବନ୍ଧିତ ଖବର