ରେଡିଓ ମୁସ୍କାନ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା

ମହିଳା ଆଣିଲେ ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗ

ଫୁଲବାଣୀ: ଫୁଲବାଣୀର କାମ କରୁଥିବା ବେତାର ସଂସ୍ଥା ରେଡ଼ିଓ ମୁସ୍କାନ୍‌ର ଚେୟାରମ୍ୟାନ ଧନେଶ୍ୱର ସାହୁଙ୍କ ନାଁରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ସଂଗିନ ଅଭିଯୋଗ ଆଣିଛନ୍ତି। ବିବାହ ପ୍ରଲୋଭନ ଦେଖାଇ ଶ୍ରୀ ସାହୁ ତାଙ୍କର ସର୍ବସ୍ୱ ଲୁଟିଥିବା ଓ ହତ୍ୟା ଧମକ ଦେଉଥିବା ଦର୍ଶାଇ ସେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି।

ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି, ଧନେଶ୍ୱର ଗତ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କ ସହ ଦେଖା ହୋଇଥିଲା। ବିଭିନ୍ନ ପ୍ରଲୋଭନ ଦେଖାଇ ଶ୍ରୀ ସାହୁ ତାଙ୍କର ସର୍ବସ୍ୱ ଲୁଟିଛନ୍ତି। ବହୁବାର ଫୁଲବାଣୀ ଓ ତୁମୁଡିବନ୍ଧରେ ଦୁହେଁ ପତି-ପତ୍ନୀ ଭଳି ରହିଛନ୍ତି। ଶ୍ରୀସାହୁଙ୍କ ସହ ସମ୍ପର୍କ ଫଳରେ ତାଙ୍କ ସଂସାର ଭାଙ୍ଗି ଯାଇଛି। ସ୍ୱାମୀଙ୍କ ସହ ସମ୍ପର୍କ ନାହିଁ। ଦୁଇ ପିଲାଙ୍କୁ ନେଇ ସେ ଦୁଃଖ କଷ୍ଟରେ ରହୁଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତିି।

ମହିଳା ଓ ଯୁବତୀମାନଙ୍କୁ ପ୍ରେମ ଫାଶରେ ପକାଇ ଶ୍ରୀ ସାହୁ କରୁଥିବା କେଳେଙ୍କାରୀର ନିରପେକ୍ଷ ତଦନ୍ତ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ମହିଳାଙ୍କ ଅଭିଯୋଗକୁ ଶ୍ରୀ ସାହୁ ଅସ୍ୱୀକାର କରିଛନ୍ତି। ମହିଳା ଜଣକ ଗାଁ ପାଖର। ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଅଧିକାଂଶ ସମୟରେ ସାହାଯ୍ୟ କରିଥିବା ସେ କହିଛନ୍ତି। ବ୍ଲାକମେଲିଂ କରି ଟଙ୍କା ନେବା ତାଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ କହିଛନ୍ତି। ଟାଉନ୍‌ ଥାନା ଅଧିକାରୀ ରେବତୀ ଶବର କହିଛନ୍ତି, ଏତଲା ପାଇଛୁ, ମାମଲା ରୁଜୁ ହୋଇ ନାହିଁ। ଶ୍ରୀସାହୁ ୧୬ ତାରିଖରେ ଆସିଲା ପରେ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର