ଫୁଲବାଣୀରେ ମୋବାଇଲ ଟାୱାର ଉପରକୁ ଚଢିଗଲେ ମହିଳା, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଫୁଲବାଣୀ: ସ୍ଥାନୀୟ ଅମଲାପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫୦ ଫୁଟ ଉଚ୍ଚତାର ଏକ ମୋବାଇଲ ଟାୱାର ଉପରକୁ ଜଣେ ମହିଳା ଚଢିଯାଇଥିଲେ। ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଘଣ୍ଟାଏ କସରତ କରିବାକୁ ପଡିଥିଲା।

ମିଳିଥିବା ସୂଚନା ଅନୁଯାୟୀ ସୁଡ୍ରେଜୁର ଜଣେ ୪୫ ବର୍ଷିଆ ମହିଳା ଆଜି ଦିନ ୧୨ଟା ସମୟରେ ସେହି ମୋବାଇଲ ଟାୱାର ନିକଟରେ ବୁଲାବୁଲି କରୁଥିଲେ। ହଠାତ କଣ ହେଲା କେଜାଣି ସେ ଟାୱାର ଉପରକୁ ଚଢି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ ସେଠାରେ ପହଞ୍ଚିବା ପରେ ମହିଳା ଜଣକ ଆହୁରି ଉପରକୁ ଚଢି ଯାଇଥିଲେ। ତାଙ୍କୁ ଓହ୍ଲାଇବାକୁ ବହୁ ଅନୁରୋଧ କରିଥିଲେ ବି ସେ କିଛି ଶୁଣି ନଥିଲେ। ତାପରେ ଅଗ୍ନିଶମ କର୍ମଚାରୀ ଚିତ୍ତରଂଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁର୍ଗାପ୍ରସାଦ ପରିଜା, ହାପି ବାରିକ, ଅଜୟ ରାଉତ, ରଂଜନ ଦାସ ଏବଂ ଦୁର୍ଗା ପଣ୍ଡା ପ୍ରମୁଖ ଉପରକୁ ଚଢି ସତର୍କତାତର ସହ ମହିଳାଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ।

ମହିଳାଙ୍କୁ ପୁଲିସ ଗାଡିରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମହିଳା ଜଣକ ମାନସିକ ବିକୃତ ଥିବା କୁହାଯାଉଥିବା ବେଳେ ଏନେଇ ପୁଲିସ ତାର ଅନୁସନ୍ଧାନ ଜାରି ରଖିଛି। ଏହି ଦୃଶ୍ୟ ଦେଖିବାକୁ ସେଠାରେ ପ୍ରବଳ ଭିଡ ଜମିଥିବା ବେଳେ କେହି ବି ସାମାଜିକ ଦୂରତା ରଖି ନଥିଲେ।

ସମ୍ବନ୍ଧିତ ଖବର