ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ଆଜି ରାତି ସାଢ଼େ ୯ଟାରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ମହିଳାଜଣକ ହେଉଛନ୍ତି, ଷ୍ଟେସନ୍‌ରୋଡ଼୍ ମେଟାସାହିର ଏ.ମୁନା ପାତ୍ରଙ୍କ ପତ୍ନୀ ଝିଲି ପାତ୍ର। ଝିଲିଙ୍କୁ ସଂକଟାପନ୍ନ ଅବସ୍ଥାରେ ଛତ୍ରପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସ୍ବାମୀ ମୁନାଙ୍କ ଅଭିଯୋଗ ଅନୁସାରେ ସେ ଝିଲିଙ୍କୁ କିଛିବର୍ଷ ତଳେ ବାହା ହୋଇଥିବା ବେଳେ ସେମାନଙ୍କ ୧୧ ମାସର ଗୋଟିଏ ପୁଅ ଅଛି। ତେବ‌େ ଯୌତୁକ ପାଇଁ ଝିଲିଙ୍କୁ ମୁନାଙ୍କ ବାପାମାଆ ନିର୍ଯାତନା ଦେଇଆସୁଥିଲେ। ସୁନାରୁପା ବି ନେଇଯାଇଥିଲେ। ଫଳରେ ଝିଲି ଏଥିରେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ଏହାସହ ସଂପତ୍ତିକୁ ନେଇ ପୁଅବୋହୂ ଓ ବାପାମାଆଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଉଭୟ ପକ୍ଷ ଥାନାର ଦ୍ବାରସ୍ଥ ହୋଇଥିଲେ। ଆଜି ଆଲୋଚନା ଚାଲିଥିବା ବେଳେ ଝିଲି ଥାନା ଆଗରେ ହଠାତ୍ ବିଷ ପିଇଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାକୁ ଆଣିଥିଲା।