ଗୃହ ସଙ୍ଗରୋଧରେ ଥିବା ବିବାହିତା ମହିଳାଙ୍କ ଆତ୍ମହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅଞ୍ଚଳର ଗୃହ ସଙ୍ଗରୋଧରେ ଥିବା ଜଣେ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛିl ଘରେ ସ୍ବାମୀ, ଶାଶୁ ଓ ଶ୍ବଶୁର ନ ଥିବା ବେଳେ ମହିଳାଜଣକ ଆତ୍ମହତ୍ୟା କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ିଶା ବାହାରକୁ କାମ କରିବାକୁ ଯାଇଥିବା ପଲ୍ଲବୀ ପଶାୟତ( ୨୨) ଗତକାଲି ଅପରାହ୍ନ ରେ ତାଙ୍କ ବକ୍ସମା  ବାସଭବନରେ ଏକ ପଙ୍ଖାରେ ଓଢଣି ବେକରେ ଗୁଡ଼ାଇ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘରେ କେହି ପରିବାର ସଦସ୍ୟ ନଥିବା ସମୟରେ ସେ ଏଭଳି କରିଥିଲେ। ପରେ ତାଙ୍କର ସ୍ବାମୀ ପପୁନ ପଶାୟତ ଆସି ପଙ୍ଖାରୁ ପଲ୍ଲବୀଙ୍କର ଶବକୁ ତଳକୁ ଆଣିଥିଲେ।ପରେ ପଲ୍ଲବୀ ମୃତ ବୋଲି ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି କୁଚିଣ୍ଡା ଥାନାରେ ଏକ ମାମଲା ରୁଜୁ କରିଥିଲେ।

image source–sisat

କୁଚିଣ୍ଡା ଅତିରିକ୍ତ ତହସିଲଦାର ମିତାଲି ମଧୁସ୍ମିତା ମୁଦୁଲି ମାଜିଷ୍ଟ୍ରେଟ ଭାବରେ ତଦନ୍ତ କରିଛନ୍ତି। କେଉଁ କାରଣରୁ ମହିଳା ଜଣକ ଆତ୍ମହତ୍ୟା କରିଥିଲେ ଜଣାପଡ଼ିନାହିଁ।

କିଛି ବର୍ଷ ପୂର୍ବରୁ ଆନ୍ଧ୍ରର ପଲ୍ଲବୀଙ୍କୁ ପପୁନ ପଶାୟତ ପ୍ରେମ ବିବାହ କରିଥିଲେ। ତାଙ୍କର ଗୋଟିଏ ସନ୍ତାନ ରହିଛି। କୁହାଯାଉଛି ଯେ ପଲ୍ଲବୀଙ୍କୁ ତାଙ୍କ ପୁଅ ସହ ଦେଖା କରାଉ ନଥିଲେ ପରିବାର ଲୋକ। ଏହି କାରଣରୁ ସେ ମାନସିକ ଚାପରେ ଥିଲେ।

ସମ୍ବନ୍ଧିତ ଖବର