ସ୍ୱାମୀଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ନପୁରୁଣୁ ସ୍ତ୍ରୀର ଆତ୍ମହତ୍ୟା

ଖୋର୍ଦ୍ଧା : ମାତ୍ର ୭ ମାସ ପୂର୍ବେ ପ୍ରେମ ବିବାହ କରିଥିବା ଦମ୍ପତି ୨୪ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ଘଟଣା ସହରରେ ଚାଂଚଲ୍ୟ ସୃଷ୍ଟି କରିଛି ।

ସୂଚନାନୁସାରେ, ରଶ୍ମୀତା ବେହେରା (୧୯)ଙ୍କ ଘର ପୁରୀ ସହରରେ । ସେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦରେ ତାଙ୍କ ମାମୁଁ-ମାଇଁଙ୍କ ଘରେ ରହୁଥିଲେ । ଏହି ସମୟରେ ଗୁରୁଜଙ୍ଗର ସୌମ୍ୟ ରଂଜନ ସାହୁ (୨୦)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଚଳିତ ବର୍ଷ ଅପ୍ରିଲ୍ ମାସରେ ଉଭୟ ବିବାହ କରିଥିଲେ । ବିବାହ ପରେ ଉଭୟ ଗୁରୁଜଙ୍ଗରେ ରହୁଥିଲେ । ଗତକାଲି ପାରିବାରିକ କଳହକୁ ନେଇ ସୌମ୍ୟ ରଂଜନ ତରତୁଆ ଜଙ୍ଗଲରେ ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ତାଙ୍କର ଶବକୁ ଗତକାଲି ଅପରାହ୍ଣରେ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା ।

ଏହାପରେ ଆଜି ସକାଳେ ରଶ୍ମୀତାଙ୍କ ବାପା-ମା ରଶ୍ମୀତାଙ୍କୁ ଆଣି ପୁଣି ମୁକୁନ୍ଦପ୍ରସାଦସ୍ଥ ନିଜ ଶଳାଘରେ ରଖିଥିଲେ । ତେବେ ଅପରାହ୍ଣ ପ୍ରାୟ ୩-୪ ବେଳେ ରଶ୍ମୀତା ନିଜ ମାମୁ ଘର ଏକ ପ୍ରକୋଷ୍ଠରେ ଲୁଙ୍ଗିରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ଏନେଇ ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ରଶ୍ମୀତାଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପଠାଇଥିଲା । ବର୍ତମାନ ସୁଦ୍ଧା ବ୍ୟବଚ୍ଛେଦ ହୋଇନଥିବା ବେଳେ ଏନେଇ ପୁଲିସ ୮୧/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର