ଯନ୍ତ୍ରଣା ଅସହ୍ୟ ହେବାରୁ ପେଟ କାଟିଦେଲେ ମହିଳା, ଗୁରୁତର ଅବସ୍ଥାରେ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ : ଆଜି ଠାକୁରଗଡ଼ ଥାନା ପାଇକସାହି ପାଖ ସାପଘରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଯନ୍ତ୍ରଣା ଅସହ୍ୟ ହେବାରୁ ଆଜି ଜଣେ ମହିଳା ତାଙ୍କ ପେଟକୁ ବ୍ଲେଡ୍‌ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସାପଘରା ଗାଁର ସୁରେଶ ରଣାଙ୍କ ପତ୍ନୀ ଊର୍ମିଳା ରଣା (୫୫) କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଊର୍ମିଳାଙ୍କ ସ୍ବାମୀ କହିବା ମୁତାବକ, ଦୁଇ ବର୍ଷ ତଳେ ତାଙ୍କ ଛାତି ଓ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଯନ୍ତ୍ରଣା ବଢ଼ିବାରୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେହି ସମୟରେ ଡାକ୍ତର କ୍ୟାନସରରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ। ଏହାପରେ ସୁରେଶ ପତ୍ନୀ ଊର୍ମିଳାଙ୍କ ଚିକିତ୍ସା କରାଇ ଆସୁଛନ୍ତି। ଅପରପକ୍ଷରେ ତାଙ୍କ ମୁଣ୍ଡର ଏକ ମାଂସ ପିଣ୍ଡୁଳା(ଟ୍ୟୁମର) ବୃଦ୍ଧି ପାଉଛି। ସେ କ୍ୟାନସର ଓ ମୁଣ୍ଡର ଟ୍ୟୁମର ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି। ଆଜି ଯନ୍ତ୍ରଣା ଅସହ୍ୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଆଜି ଅପରାହ୍‌ଣ ସାଢ଼େ ୩ଟାରେ ଘରେ କେହି ନଥିବାବେଳେ ଜୀବନ ହାରିବା ପାଇଁ ଏକ ବ୍ଲେଡ୍‌ରେ ଊର୍ମିଳା ତାଙ୍କ ପେଟକୁ କାଟି ଦେଇଥିଲେ। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଅନ୍ତବୁଜୁଳା ବାହାରି ଆସିବା ସ୍ଥିତିରେ ରହିଥିଲା। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି‌ଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର